୧୨ ଜାନୁଆରୀରୁ ଝାରସୁଗୁଡ଼ାରେ ପୁସ୍ତକ ମେଳା ଅନଷ୍ଠିତ ହେବ
ଝାରସୁଗୁଡ଼ା : ଆସନ୍ତା ଜାନୁଆରୀ ୧୨ ତାରିଖ ଠାରୁ ଝାରସୁଗୁଡ଼ା ପୁସ୍ତକ ମେଳାର ଆୟୋଜନ କରାଯିବ । ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ଦୁଲ୍ଦଲି\’ ପାଳନ ଅବସରରେ ଏହି ପୁସ୍ତକ ମେଳା ସରବାହାଲ ପଡ଼ିଆରେ ଅନୁଷ୍ଠିତ ହେବ । ଦୁଲ୍ଦଲି ମହୋତ୍ସବ ୧୪ ତାରିଖ ଠାରୁ ୧୮ ତାରିଖ ଯାଏ ଆୟୋଜିତ ହେବାକୁ ଥିବା ବେଳେ ଏହାର ଦୁଇଦିନ ପୂର୍ବରୁ ପୁସ୍ତକ ମେଳାର ଆୟୋଜନ ପାଇଁ ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର କାର୍ଯ୍ୟକାରୀ କମିଟିର ବୈଠକରେ ନିଷ୍ପର୍ତିି ହୋଇଛି । ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦପଞ୍ଜିକୃତ ହେବା ପରେ କାଲି ସନ୍ଧ୍ୟା ରେ ପ୍ରଥମ ଥର ଲାଗି ଏହାର ସଭାପତି ତଥା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହ ରେ ବୈଠକ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ମେଳା ଆୟୋଜନ ପାଇଁ ପରିଷଦ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏଥିସହ ରାଜ୍ୟର ଏହି ସୀମାନ୍ତ ଅଂଚଳରେ ଓଡ଼ିଆ ଭାଷା ଏବଂ ସଂସ୍କୃତିର ସୁରକ୍ଷା ଲାଗି ବର୍ଷବ୍ୟାପୀ ବିବିଧ କାର୍ଯ୍ୟକ୍ରମ ହାତକୁ ସ୍ଥିର ହୋଇଛି । ଛତିଶଗଡ଼-ଓଡ଼ିଶାର ଓଡ଼ିଆ ଲେଖକ, କବି, ସାହିତ୍ୟିକ, ସାରସ୍ୱତ ସାଧକ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ସମ୍ମିଳନୀର ଆୟୋଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ପରିଷଦର ଆଜୀବନ ସଦସ୍ୟତା ସହ ଅନ୍ୟାନ୍ୟ ଦିଗରୁ ପାଣ୍ଠି ସଂଗ୍ରହ ଉପରେ ଆଲୋଚନା କରାଯାଇଥିଲା । ଓଡ଼ିଆ ଭାଷା ଏବଂ ସଂସ୍କୃତିର ସୁରକ୍ଷା ଲାଗି ବଳିଦାନ ଦେଇଥିବା ମହାପୁରୁଷଙ୍କ ଜୟନ୍ତୀ, ପୁଣ୍ୟ ତିଥି ପାଳନ ଆଦି ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା । ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ କବି ବିନୋଦ ନାଏକଙ୍କ ସାହିତ୍ୟ ସୃଷ୍ଟିକୁ ନେଇ ଗ୍ରନ୍ଥାବଳୀ ପ୍ରକାଶନ ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ପିଡି ଆର୍ଆଣ୍ଡ ଆର୍ ଆଲୋମଣି ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଅନୀଲ କୁମାର କେରକେଟା, ଡିଆଇ.ପି.ଆର୍ଓ ଅଜୟ ଜେନା, ପରିଷଦର କାର୍ଯ୍ୟକାରୀ ଉପ-ସଭାପତି ମେହବୁବ ମାହତାବ, ମନ୍ଦାକିନୀ ଶତପଥୀ, କ୍ଷମାସାଗର ଭୋଇ, ସୁରଙ୍ଗ ପ୍ରଧାନ, ଗୌତମ ବେହେରା, ରମଣୀ ରଞ୍ଜନ ବିଶ୍ୱାଳ, ବିରାଟରାଜା ପ୍ରଧାନ, କନକତୋରା ସରପଚଂ ପମୁଖ ଯୋଗ ଦେଇଥିଲେ ।
