ଝାରସୁଗୁଡ଼ାରେ ଖୋଲିବ ଆଇଟିଡିଏ, କେନ୍ଦ୍ରର ଅନୁମତି
ଝାରସୁଗୁଡ଼ା : କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ । ଝାରସୁଗୁଡ଼ାରେ ଏକ ନୂଆ ଆଇଟିଡିଏ (ସମନ୍ୱିତ ଆଦିବାସୀ ଉନ୍ନୟନ ଏଜେନ୍ସୀ) ଖୋଲିବାକୁ ଅନୁମତି ମିଳିଥିବା ବେଳେ ଜିଲାର ଲଇକେରା ଓ କିରିମେରା ବ୍ଲକକୁ ଆଦିବାସୀ ସବ୍ ପ୍ଲାନ୍ (ଟିଏସପି) ବ୍ଲକ ଭାବେ ଘୋଷଣା କରିଛନ୍ତି । ଗତ ୨୦୧୭ ନଭେମ୍ବର ମାସରେ ରାଜ୍ୟ ସରକାର ଏଥିପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ ।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଝାରସୁଗୁଡ଼ାର ଦୁଇଟି ବ୍ଲକ ଲଇକେରା ଓ କିରିମେରାକୁ ଟିଏସପି ବ୍ଲକ୍ ତାଲିକାରେ ସାମିଲ କରାଯିବା ସହ ଝାରସୁଗୁଡ଼ାଠାରେ ନୂଆ ଆଇଟିଡିଏର ମୁଖ୍ୟାଳୟ ଖୋଲିବାକୁ ମଧ୍ୟ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି ।
ସୂଚନା ଯେ, ଓଡ଼ିଶାରେ ଆଦିବାସୀ ଅଧ୍ୟୁଷିତ ମୋଟ ୧୩ଟି ଜିଲ୍ଲାରେ ୧୧୯ଟି ବ୍ଲକୁ ଟିଏସପି ବ୍ଲକ୍ ଭାବେ ଚିହ୍ନଟ କରାଯାଇଥିବାବେଳେ ସେଠାରେ ୨୨ଟି ଆଇଟିଡିଏ କାର୍ଯ୍ୟ କରୁଛି । ଏବେ ନୂତନ ଭାବେ ଝାରସୁୁଗୁଡ଼ା ସାମିଲ ହେବା ପରେ ରାଜ୍ୟରେ ଟିଏସପି ବ୍ଲକ ସଂଖ୍ୟା ୧୨୧କୁ ବୃଦ୍ଧି ପାଇବା ସହ ଜିଲ୍ଲା ସଂଖ୍ୟା ୧୪କୁ ଓ ଆଇଟିଡିଏ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।
