ଜଳେଶ୍ୱର ଜିଲା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ସଚିବଙ୍କୁ ସ୍ମାରକପତ୍ର
ଜଳେଶ୍ୱର : ରାଜ୍ୟର ଉତ୍ତର ସୀମା ଜଳେଶ୍ୱରକୁ କେନ୍ଦ୍ର କରି ଏକ ଜିଳା ପରିକଳ୍ପନା କରିଛି ସମାଜ କଲଣ୍ୟାଣ ବିକାଶ ପରିଷଦ । ଏଥିଲାଗି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ରାସଗୋବିନ୍ଦପୁର ବ୍ଲକ ଓ ତହସିଲକୁ ନେଇ ଜଳେଶ୍ୱର ଜିଲାର ପରିକଳ୍ପନା କରାଯାଇଛି । ଉପରୋକ୍ତ ଅଂଚଳର ଜନସଂଖ୍ୟା ପ୍ରାୟ ୧୨ଲକ୍ଷ ହୋଇଥିବା ବେଳେ ବାଲେଶ୍ୱର ଜିଲା ମହକୁମାରୁ ଉତ୍ତର ସୀମାର ଶେଷ ଯାଏ ୧୦୦ କି.ମି ଦୂରତ୍ୱ ଦେଉଥିବା ବେଳେ ପ୍ରକୃତିକ ଦୁର୍ବିପାକ ସମୟରେ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଥାଏ । ଓଡିଶାର ଉତ୍ତର ସୀମାରେ ଥିବା ୮୨ ଗାଁ ସହିତ ପଶ୍ଚିମବଂଗର ୯୧ଟି ଗାଁ ସୀମା ବିବାଦ, ସୁବର୍ଣ୍ଣରେଖା ବାଲି ବିବାଦ, ପଶ୍ଚିମବଂଗର ଉଦ୍ବୃତ୍ତ ବର୍ଷାପାଣିର ସୁପରିଚାଳନା, ସମୁଦ୍ର ତଟ ସୁରକ୍ଷା, ଅବାଧ ନିଶା କାରବାର ରୋକିବା, ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା, ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ନେଇ ଜଳେଶ୍ୱର ଜିଲ୍ଲା ଘୋଷଣା ଅପରିହାର୍ଯ୍ୟ ହୋଇଛି ବୋଲି ପରିଷଦ ପକ୍ଷରୁ ଦର୍ଶା ଯାଇଛି । ପର୍ଯ୍ୟଟନର ବିକାଶ ଲାଗି ରାଇବଣିଆ ଦୁର୍ଗ, ମହାଶୟ ଗଡ, ଭୂଷଣ୍ଡେଶ୍ୱର, ଚନ୍ଦନେଶ୍ୱର ମହାଦେବମନ୍ଦିର, ଡଗରା, ତାଳସାରୀ ଓ ଉଦୟପୁରର ବିସ୍ତର୍ଣ୍ଣର୍ ବେଳାଭୂମୀର ସୁରକ୍ଷା ଇତ୍ୟାଦି ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ସ୍ମାରକପତ୍ରରେ ଦର୍ଶା ଯାଇଛି । ଜିଲା ଘୋଷଣା ପରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷିର ବିକାଶ ସହିତ ଅପରାଧ ନିୟନ୍ତ୍ରଣ ସୁଚାରୁରୂପେ ହୋଇ ପାରିବ ବୋଲି ଉଲ୍ଲେଖ କରାଯାଇଛି । ଏ ସଂପର୍କରେ ଆଜି ପରିଷଦ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଂଜ, ସଂପାଦକ ରାମଚନ୍ଦ୍ର ଜେନା, ଶରତ ଚନ୍ଦ୍ର ପରିଡା, ଡ. ଅଜିତ୍ ମହାନ୍ତି, ମୂରଲୀମୋହନ ପ୍ରଧାନ, ଇଂ ରାମଚନ୍ଦ୍ର ସାହୁ, ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ସିଦ୍ଧେଶ୍ୱର ପଣ୍ଡା, ଜିତାରାମ ଦେ, ଆଦିତ୍ୟ ନାରାୟଣ ପାତ୍ର, ରବିନ୍ଦ୍ର ପାତ୍ର, ଅବନୀ ଚାନ୍ଦ, ରବିନାରାୟଣ ପାତ୍ର ଓ ଦୁର୍ଗାଶଂକର ଗିରି ପ୍ରମୁଖ ଉପସ୍ଥିତ ରହି ଜଳେଶ୍ୱର ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।
