ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଉଦଯାପିତଭି.ବି.ଏସ. ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ ଚମ୍ପିୟାନ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟରେ ୪ଦିନ ଧରି ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ଉତ୍ସବରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ କ୍ରୀଡ଼ାର ଭୂମିକା ଉପରେ ଆଲୋକପାତ କରିଥିଲେ । କ୍ରୀଡ଼ା ପରିଷଦର ସମ୍ପାଦକ ଡ. ପ୍ରଭଂଜନ ମଲ୍ଲିକ ପ୍ରତିଯୋଗିତାର ବିବରଣୀ ପାଠ କରିଥିବା ବେଳେ, କୁଳସଚିବ ସହଦେବ ସମାଧିଆ ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିମନ୍ତେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସର ରେ ୪ଟି ବିଜୟୀ ଟିମ ଙ୍କୁ ଟ୍ରଫି ପ୍ରଦାନ କରା ଯାଇଥିଲା ଏବଂ ପରେ ଧ୍ୱଜା ଅବତରଣ ଓ ମଶାଲ ନିର୍ବାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ଅଧ୍ୟାପିକା ଡ. କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଇଷ୍ଟଜୋନ୍ ପାଇଁ ଉନ୍ନୀତ ହୋଇଥିବା ୪ଟି ବିଶ୍ୱବିଦ୍ୟାଳୟ ଭି.ବି.ଏସ ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ, ଆଡାମାସ ବିଶ୍ୱବିଦ୍ୟାଳୟ, ସି.ଭି. ରମଣ ବିଶ୍ୱବିଦ୍ୟାଳୟ, ଓ ଜେ.ଏନ.ସି. ବିଶ୍ୱବିଦ୍ୟାଳୟ ବାଲିଆଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଭି.ବି.ଏସ. ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ ୩୪-୬ରେ ଆଡାମାସ ବିଶ୍ୱବିଦ୍ୟାଳୟ କୁ ପରାସ୍ତ କରି ଚମ୍ପିୟାନ୍ ଟ୍ରଫି ହାସଲ କରିଥିଲେ । ଆଡାମାସ ବିଶ୍ୱବିଦ୍ୟାଳୟ ରନର୍ସ ଅପ ଟ୍ରଫି ପାଇଥିଲେ । ସେହିଭଳି ତୃତୀୟ ସ୍ଥାନ ପାଇଁ ସି. ଭି. ରମଣ ବିଶ୍ୱବିଦ୍ୟାଳୟ ଓ ଜେ.ଏନ୍.ସି. ବିଶ୍ୱବିଦ୍ୟାଳୟ ବାଲିଆ ମଧ୍ୟରେ ମ୍ୟାଚ୍ ହୋଇଥିଲା । ଏଥିରେ ସି. ଭି. ରମଣ ବିଶ୍ୱବିଦ୍ୟାଳୟ ୫୬-୪୩ରେ ବିଜୟୀ ଲାଭ କରି ତୃତୀୟ ସ୍ଥାନ ହାସଲ କରିଥିଲେ । ଚାରିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଂଜନ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାଶିତ ମହାବିଦ୍ୟାଳୟର ସତ୍ୟନାରାୟଣ ବାରିକ, ସୀମାନ୍ତ ମହାବିଦ୍ୟାଳୟର ଶ୍ରଦ୍ଧାନନ୍ଦ ସାହୁ, ଶ୍ରୀରାମଚନ୍ଦ୍ରଭଂଜ ମହାବିଦ୍ୟାଳୟ ରାଗଧାର ଧନଂଜୟ ତ୍ରିପାଠୀ, ବାରିପଦା ମହାବିଦ୍ୟାଳୟର ତାପସ କୁମାର ସାମଲ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା ପ୍ରୋଟେଷ୍ଟ କମିଟିର ସଦସ୍ୟ ଦାୟିତ୍ୱ ତୁଲାଇବା ସହ ଖେଳ ପରିଚାଳନା ନିମନ୍ତେ ରେଫରୀ ମାନଙ୍କୁ ଯୋଗାଇବାରେ ସହାୟତା କରିଥିଲେ । ବଳଙ୍ଗା ମହାବିଦ୍ୟାଳୟର ଡ. ନୀଳକଣ୍ଠ ମିଶ୍ର ଓ ମାଣିତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସିତ କୁମାର ପାଲ ପ୍ରୋଟେଷ୍ଟ କମିଟିର ସଦସ୍ୟ ରୂପେ ସମସ୍ତ ଖେଳକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
