ସୁରକ୍ଷାରେ ତ୍ରୁଟି: ଦୁର୍ଘଟଣା ପରେ କାରଖାନା ପରିସରରେ ଯାଞ୍ଚ
କେନ୍ଦୁଝର : ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁରଠାରେ ଥିବା ଏଏସ୍ଏଲ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ ପିଲେଟ ଏବଂ ବେନିଫିକେଶନ କାରଖାନା ପରିସରରେ ଗତ ଗୁରୁବାର ଏକ ଲୁହାପଥର ଗୁଣ୍ଡ ବୋଝେଇ ଏକ ଟିପର ଦୁର୍ଘଟଣା ଘଟି ଜଣେ ଟିପର ଚାଳକଙ୍କ ମୃତ୍ୟୁ ଘଟିଥିଲା । କାରଖାନା ପରିସରରେ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା ଢିଲା ଓ ଭିତରେ ଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ଏବେ ଆଉ ଏକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ମୃତ ଚାଳକଙ୍କ ନାମ ଛେଦି ମୁଣ୍ଡା (୩୧)ବୋଲି ଜଣାପଡ଼ିଛି । ଏହାକୁ ନେଇ ବାମେବାରୀ ଥାନାରେ କେସ୍ ନଂ ୨୦୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହା ସହିତ ସହକାରୀ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାକୁ ଭିନ୍ନ ମୋଡ଼ ଦେଇ ଚପାଇ ଦେବାକୁ ଉଦ୍ୟମ ହେଉଥିବା କୁହାଯାଉଛି । କାରଖାନା ପରିସରରେ ସାଧାରଣତଃ ବିପର୍ଯ୍ୟସ୍ତ ରାସ୍ତାଘାଟ, ଧୂଳିଧୂଆଁ ପ୍ରଦୂଷଣ, ଅସୁରକ୍ଷିତ ଟ୍ରାଫିକ ବ୍ୟବସ୍ଥା ଆଦି ଯୋଗୁ ଦୁର୍ଘଟଣା ହୋଇଥାଏ । ଏଣୁ ଏସବୁ ପ୍ରତି କାରଖାନା କର୍ତୃପକ୍ଷ କ\’ଣ କ\’ଣ ବ୍ୟବସ୍ଥା କରିବେ ସେ ନେଇ ସ୍ୱତନ୍ତ୍ର ଗାଇଡ୍ଲାଇନ ରହିଛି । ଏଥିପାଇଁ ଏସବୁ ଅବ୍ୟବସ୍ଥା ତଦାରଖ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ଶ୍ରମ ବିଭାଗ,କାରଖାନା ଓ ବାଷ୍ପିତ ବିଭାଗ ଗସ୍ତ କରି ଯାଞ୍ଚ କରିଥାନ୍ତି । ଦୁର୍ଘଟଣା ରୋକିବା ପାଇଁ ରାସ୍ତାଘାଟ ନିୟମିତ ସଫେଇ କରିବା ସହ ଧୂଳିଧୂଆଁ ରୋକିବା ପାଇଁ ପାଣି ସିଂଚନ, ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଚକା ଧୋଇବା ପାଇଁ ବ୍ୟବସ୍ଥା ଜରୁରୀ । ଏଣୁ ଏସବୁ ବ୍ୟବସ୍ଥା ହୋଇଛି କି ନାହିଁ ସେସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ଡ୍ରାଇଭରଙ୍କୁ କ୍ଷତିପୂରଣ ଦେଇ ନ୍ୟାୟ ଦେବାକୁ ଦାବି ହୋଇଛି । ଏନେଇ ବାମେବାରୀ ଥାନାଧିକାରୀ ସ୍ୱରୂପ ରଂଜନ ନାୟକ କହିଛନ୍ତି, ଘଟଣାକୁ ନେଇ କେସ୍ କରାଯାଇ ତଦନ୍ତ ଚାଲିଛି । ସହକାରୀ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ ବିଭାଗର ଇଂ କେଦାର ନାଥ ହାଁସଦାଙ୍କୁ ଯୋଗାଯୋଗ କରିବାରୁ କାରଖାନା ପରିସରରେ ଦୁର୍ଘଟଣାର ତଦନ୍ତ ଚାଲିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ କାରଖାନାର ଅଧିକାରୀ ଓମ୍ପ୍ରକାଶ ସେନାପତି କହିଛନ୍ତି, ଦୁର୍ଘଟଣା ସମ୍ପର୍କରେ ପୋଲିସ ଓ କାରଖାନା ବାଷ୍ପିତ ବିଭାଗକୁୁ ସୂଚନା ଦିଆଯାଇଛି । ସେମାନେ ଏହାର ଯାଞ୍ଚ କରୁଛନ୍ତି । ସେହିପରି ଶ୍ରମ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟକୁ ନେଇ ଗଠିତ ସେଣ୍ଟ୍ରାଲ ଇନ୍ସପେକ୍ସନ କୋ-ଅଡିନେଶନ ଗ୍ରୁପ୍(ସିଆଇସିଜି) ନିୟମିତ ଅନୁଧ୍ୟାନ କରିବାର ବ୍ୟବସ୍ଥା ରହିଥିଲେ ହେଁ ସେସବୁ ସଠିକ୍ ଭାବରେ ପାଳନ ହେଉ ନ ଥିବାରୁ ଏଭଳି ଅଘଟଣ ଘଟୁଥିବା ଆଲୋଚନା ହେଉଛି ।
