ଶିକ୍ଷୟିତ୍ରୀଙ୍କୁ ସିଆର୍ସିସିଙ୍କ ଆକ୍ରମଣ ଘଟଣା; ଜିଲାପାଳଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ଅନ୍ତର୍ଗତ ଗଡ଼ପଦା କ୍ଲଷ୍ଟରର ଗଡ଼ପଦା ପ୍ରାଇମେରୀ ସ୍କୁଲ ଶିକ୍ଷୟିତ୍ରୀ ମିନତୀ ସୋରେନଙ୍କୁ ସିଆରସିସି ଅନୀଲ କୁମାର ପାତ୍ରଙ୍କ ଆକ୍ରମଣ ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବାଲେଶ୍ୱର ଆଦିବାସୀ ଛାତ୍ର ସଂଘ । ସଂଘର କର୍ମକର୍ତ୍ତା ଓ ବହୁ ସଦସ୍ୟ ସଦସ୍ୟା ଶୁକ୍ରବାର ଅତିରିକ୍ତ ଜିଲାପାଳ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ ସହ ଅହଙ୍କାରୀ ସିଆରସିସି ଶ୍ରୀ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଅଭିଯୋଗ ଅନୁସାରେ ଗଡ଼ପଦା ପ୍ରାଇମେରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଥିବା ବେଳେ ମିନତୀ ସୋରେନଙ୍କ ଠାରୁ ବିଦ୍ୟାଳୟର ଏକ ଗୃହରେ ସିଆରସିସି ଅନୀଲ କୁମାର ପାତ୍ର ନିଜର କିଛି ବହି ରଖିଥିଲେ । ଏହି ଘରେ ତାଲା ମାରି ସେ ନିଜ ପାଖରେ ଚାବି ରଖିଥିଲେ । ୨/୩ ସପ୍ତହ ପରେ ସେ ବହି ନେଇଯିବେ ବୋଲି କହିଥିଲେ । ମାତ୍ର ଚାବି ମାଗିଲେ ଶ୍ରୀମତୀ ସୋରେନଙ୍କୁ ଆଉ କିଛିଦିନ ପରେ ଦେବେ ବୋଲି ଉତ୍ତର ଦେଇଥାନ୍ତି । ତେବେ ୨ମାସ ପୂର୍ବରୁ ବଳରାମ ବେହେରା ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନେବା ପରେ ଚାର୍ଯ୍ୟ ହସ୍ତାନ୍ତର ସମୟରେ ସମ୍ପୃକ୍ତ ଗୃହ ବାବଦରେ ସେ ଶିକ୍ଷୟିତ୍ରୀ ଶ୍ରୀମତୀ ସୋରେନଙ୍କ ଠାରୁ ଅବଗତ ହୋଇଥିଲେ । ତେବେ ଗତ ୩୧ ତାରିଖରେ ବିଦ୍ୟାଳୟ ମନିଟରିଂ ପାଇଁ ଆସିଥିବା ବେଳେ ସିଆରସିସି ଶ୍ରୀ ପାତ୍ରଙ୍କୁ ସମ୍ପୃକ୍ତ ଗୃହ ଚାବି ଶ୍ରୀମତୀ ସୋରେନ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ମାଗିଥିଲେ । ଏଥିରେ ଶ୍ରୀ ପାତ୍ର ଉତ୍ତ୍ୟକ୍ତ ହୋଇ ଶ୍ରୀମତୀ ସୋରେନଙ୍କ ଛାତିକୁ ଧକ୍କା ଦେଇ ତାଙ୍କ ହାତକୁ ମୋଡ଼ି ଦେଇଥିଲେ । ସେ ତଳେ ପଡ଼ିଯିବା ତାଙ୍କୁ ଘୋସାରି ଘୋସାରି ଗେଟ ପର୍ଯ୍ୟନ୍ତ ନେଇଯାଇଥିଲେ । ଏହାକୁ ନେଇ ପ୍ରଧାନ ଶିକ୍ଷକ ବିଇଓଙ୍କୁ ଜଣାଇଥିଲେ । ମାତ୍ର କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ତାଙ୍କ ପରାମର୍ଶ କ୍ରମେ ଶ୍ରୀମତୀ ସୋରେନ ଗତ ୧୦ତାରିଖରେ ରୂପସା ଥାନାରେ ଏତଲା ଦେଇଥିଲେ । ୮୫/୨୨ ନଂର ମାମଲା ରୁଜୁ କରି ପୋଲିସ ଏବେ ଚୁପ ହୋଇ ବସିଛି । ଜଣେ ଆଦିବାସୀ ଶିକ୍ଷୟିତ୍ରୀ ପ୍ରତି ହୋଇଥିବା ଏହି ଆକ୍ରମଣ ତୁରନ୍ତ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଆଦିବାସୀ ଛାତ୍ର ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଘ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ପ୍ରଦୀପ ମାରାଣ୍ଡି, ଗଣେଶ ଚନ୍ଦ୍ର ସୋରେନ, ଯମୁନା ମାଝୀ, ସନତ ମାଝୀ, ସଞ୍ଜୟ କୁମାର ମାଝୀ ପ୍ରମୁଖ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
