ଆଜିଠୁ ନାୟିକା ନାଟ୍ୟାନୁଷ୍ଠାନର ୫ମ ରାଜ୍ୟସ୍ତରୀୟ ନାଟକୋତ୍ସବ
ବାଲେଶ୍ୱର : ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବାଲେଶ୍ୱରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାୟିକା’ ପକ୍ଷରୁ ୫ମ ରାଜ୍ୟସ୍ତରୀୟ ନାଟକୋତ୍ସବ ଶନିବାର ଠାରୁ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ‘ନାୟିକା’ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ୪ ଦିନିଆ ନାଟକୋତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ ।
‘ନାୟିକା’ର ନିର୍ଦ୍ଦେଶିକା ସୁସ୍ମିତା ରଣା ଯୋଗଦେଇ ରାଜ୍ୟସ୍ତରୀୟ ନାଟକୋତ୍ସବ ଅବସରରେ ସଂଗଠନର ୧୭ତମ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି କହିଥିଲେ । ଏହି କ୍ରମରେ ନାଟକୋତ୍ସବର ପ୍ରଥମ ଦିବସରେ ‘ନାୟିକା’ ପ୍ରଯୋଜନାରେ ସୁବୋଧ ପଟ୍ଟନାୟକଙ୍କ ରଚିତ ତଥା ମହାତ୍ମାଗାନ୍ଧୀଙ୍କ ଆତ୍ମଜୀବନ ପୁସ୍ତକ ଆଧାରିତ ନାଟକ ‘ତ୍ୟାଗୀ’ ପରିବେଷଣ ହେବ । ସେହିପରି ଶେଷ ଦିନରେ ‘ନାୟିକା’ ପ୍ରଯୋଜିତ ତଥା ବିଜୟ ମିଶ୍ରଙ୍କ ରଚିତ ନାଟକ ‘ତା’ରି ଲାଗି’ ମଞ୍ଚସ୍ଥ ହେବ । ଦୁଇ ନାଟକକୁ ସେ ନିଜେ ନିର୍ଦ୍ଦେଶନା ଦେଇଥିବା ଶ୍ରୀମତି ରଣା ପ୍ରକାଶ କରିଥିଲେ । ନାଟକୋତ୍ସବର ଅନ୍ୟ ଦୁଇ ଦିନରେ ଝାରସୁଗୁଡାର ସୃଜନୀ ପରିବାର ପ୍ରଯୋଜିତ ତଥା ବଜେନ୍ଦ୍ର ନାୟକଙ୍କ ରଚିତ ଓ ଗଙ୍ଗାଧର ବେହେରାଙ୍କ ନିର୍ଦ୍ଦେଶିତ ନାଟକ ‘ଏନ୍ତା ଏନ୍ତା କଥା’ ଏବଂ ଭୁବନେଶ୍ୱରର ଅସୀମବସୁ ଫାଉଣ୍ଡେସନ ପ୍ରଯୋଜିତ ତଥା ବିଜୟ ମିଶ୍ରଙ୍କ ରଚିତ ଓ ଡ. ଚକ୍ରଧର ପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ଶବ ବାହକ ମାନେ’ ପରିବେଷଣ ହେବ ।
କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଏହି ରାଜ୍ୟସ୍ତରୀୟ ନାଟକୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଅତି ସୁନ୍ଦର ନାଟକ ପରିବେଷଣ କରାଯାଉଥିବା ସେ କହିଥିଲେ । ବାଲେଶ୍ୱରର ନାଟକପ୍ରେମୀ ଦର୍ଶକ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିବାକୁ ସେ ନିବେଦନ କରିଥିଲେ । ନାଟକୋତ୍ସବ ଅବସରରେ ୨୬ ତାରିଖ ସକାଳେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ । ଅନ୍ୟମାନଙ୍କ ମଧ୍ୟରେ ‘ନାୟିକା’ର ସୁଶୀଲ ପଟ୍ଟନାୟକ, ଅରବିନ୍ଦ ସାହୁ, ସୁଶାନ୍ତ ଜେନା, ବିଜୟ ଅଧିକାରୀ, ଅମୃତାଂଶୁ ମହାପାତ୍ର, ପ୍ରଦୀପ ବେହେରା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
