ବାଲେଶ୍ୱର ଇନ୍ଟାକ୍ ଚାପ୍ଟାର୍ ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ
ବାଲେଶ୍ୱର : ବାଲେଶ୍ୱର ଇନ୍ଟାକ୍ ଚାପ୍ଟାର୍ ଆନୁକୂଲ୍ୟରେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି । ଅତିରିକ୍ତ କୋ-କନ୍ଭେନର୍ଙ୍କ ସଭାପତିତ୍ୱରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖି ପିଲାମାନଙ୍କୁ ଶୃଙ୍ଖଳିତ ଏବଂ ସ୍ୱାବଲମ୍ବୀ ହେବାପାଇଁ ନିଜର ଭାଷଣ ମାଧ୍ୟମରେ ଗଳ୍ପ ଦ୍ୱାରା ବିଭିନ୍ନ ଉପଦେଶ ଦେଇଥିଲେ । ଆଜିର ପିଲାମାନେ ନିଜର ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ନ ଭୂଲିବାକୁ ପରାମର୍ଶ ଦେଇଥିଲେ । ଇନ୍ଟାକ୍ର ଏହିଭଳି ପଦକ୍ଷେପକୁ ସେ ଭୂୟଶୀ ପ୍ରଶଂସା କରିଥିଲେ ।
ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ତାଙ୍କ ବକ୍ତବ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କ ଚିତ୍ରଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ । ସେମାନଙ୍କ ଭିତରେ ଐତିହ୍ୟ ଓ ପରମ୍ପରାକୁ ରକ୍ଷାକରିବା ପାଇଁ ଏକ ଛୋଟ ଉଦ୍ୟମ ଇନ୍ଟାକ୍ ଚାପ୍ଟାର ମାଧ୍ୟମରେ କରାଯାଇଛି ସତ, କିନ୍ତୁ ଆଗାମୀ ଦିନରେ ପିଲାମାନଙ୍କ ଭିତରେ ଏକ ଇନ୍ଟାକ୍ ହେରିଟେଜ୍ କ୍ଲବ୍ ଗଠନ କରିବାର ଯୋଜନା ଅଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ପିଲାମାନଙ୍କୁ ଏକ ଶପଥ ପାଠ କରାଇଥିଲେ, ସେମାନେ କେବେ ହେଲେ ସେମାନଙ୍କର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଭୁଲିବେ ନାହିଁ କି କାହାକୁ ଭୁଲିବାକୁ ଦେବେନାହିଁ । ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁମତୀ ଜେନାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପାଦିତ ହୋଇଥିଲା । ତାଙ୍କ ଭାଷଣରେ ସେ ପିଲାମାନଙ୍କୁ ଭଲ ମଣିଷ ହୋଇ ତାଙ୍କ ବିଦ୍ୟାଳୟର ସୁନାମ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାତୃଦତ୍ତ ଦାସ ପିଲାମାନେ ଗାଇଥିବା ସ୍ୱାଗତ ସଂଗୀତର ଭୂୟସୀ ପ୍ରଶଂସା କରିଥିଲେ ଏବଂ ବାଲେଶ୍ୱର ଇତିହାସର ଗନ୍ତାଘର ବୋଲି ପିଲାମାନଙ୍କୁ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍କୁଲ୍ର ଛାତ୍ରୀ ପ୍ରିୟଙ୍କା ନାୟକ, ଗୁଞ୍ଜନ ମାଝୀ, ପ୍ରଭାତୀ ପରିଡ଼ା, ଆୟୁଷ୍ମତୀ ଆଚାର୍ଯ୍ୟ, ଶ୍ରୀୟାଶ୍ରୀ ପାତ୍ର, ରୋଜାଲି ମଲ୍ଲିକ୍ ଓ ଗାୟତ୍ରୀ ପାଢ଼ୀ ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିଲେ । ଛାତ୍ରୀମାନଙ୍କ ତରଫରୁ ଚାନ୍ଦିନୀ ଖାତୁନ୍, ଇପ୍ସିତା ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରଭା ମିଶ୍ର, ଗାୟତ୍ରୀରାଣୀ ଦାସ, ଲିଜା ଦ୍ୱିବେଦୀ, ବନଜା ମିଶ୍ର, ମାଳତୀ ପଣ୍ଡା, ମମତା ନାୟକ, ମୋନାଲିସା ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ୭ମ, ୮ମ ଓ ୯ମ ଶ୍ରେଣୀର ୪୦ରୁ ଊର୍ଦ୍ଧ୍ୱ ପିଲା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଇନ୍ଟାକ୍ର ବାର୍ଷିକ ଅଧିବେଶନରେ ପୁରସ୍କୃତ କରାଯିବାକୁ ଘୋଷଣା କରାଯାଇଥିଲା । ସର୍ବଶେଷରେ ଇନ୍ଟାକ୍ ଚାପ୍ଟାର୍ର କାର୍ଯ୍ୟନିର୍ବାହୀ ସଦସ୍ୟ ମାତୃଦତ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
