ଏଫ୍ଏମ୍ୟୁରେ ଆନ୍ତର୍ଜାତୀୟ ଉତ୍ସବ “ଉନରୁମ୍” ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫ୍ଏମ୍ୟୁ) ଆନୁକୂଲ୍ୟରେ ଆନ୍ତର୍ଜାତୀୟ ସ୍ତରର ଲୋକୋତ୍ସବ “ଉନରୁମ୍” ଉଦ୍ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନେଦରଲାଣ୍ଡର ପ୍ରଫେସର ମୋହନ କେ ଭଗତ୍, କାଲିଫର୍ଣ୍ଣିଆର କଳାନିର୍ଦ୍ଦେଶିକା ନାନ୍ସି ପପ୍, ଶ୍ରୀଲଙ୍କାର ନୃତ୍ୟବିଶାରଦ ଚାନ୍ଦିନୀ କସ୍ତୁରୀ ଆରାଚ୍ଚି ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଆଦିବାସୀ ଜନଜୀବନର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧ ତଥା ଓଡ଼ିଶୀ ସାମୂହିକ ଚେତନାର ବିଶେଷତ୍ୱ ସମ୍ପର୍କରେ ମତ ଦେଇଥିଲେ । ଏହି ଅବସରରେ ଆଦିବାସୀ ସଂସ୍କୃତି ନିକଟରେ ଏକ ବିଶ୍ୱମାନବୀୟ ସମ୍ବେଦନଶୀଳତାର ମାର୍ମିକ ଉପଲବ୍ଧି ନିହିତ ରହିଛି, ସେମାନଙ୍କର ସାଂସ୍କୃତିକ ପରମ୍ପରାରେ ବିଦ୍ୟମାନ ଥିବା ମୂଲ୍ୟାତ୍ମକ ଦିଗକୁ ପ୍ରାଧାନ୍ୟ ଦେଇ ଏକ ପ୍ରକୃତି-ସମ୍ପ୍ରତି ମୂଳକ ଜୀବନ-ଜଗତ ନିର୍ମାଣ କରାଯାଇ ପାରିବ ବୋଲି ପ୍ରଫେସର ମୋହନ କେ ଭଗତ ପ୍ରକାଶ କରିଥିଲେ ।
ଅନୁରୂପ ଭାବରେ ନେଦରଲାଣ୍ଡ ରୁ ଯୋଗ ଦେଇଥିବା ବରେଣ୍ୟ ଅତିଥି ନାନ୍ସି ପପ୍, ଭାରତ ତଥା ଓଡ଼ିଶା ବେଶ୍ ସଂସ୍କୃତି ସମ୍ପର୍ଣ୍ଣ ବିଶେଷତଃ ଆଦିବାସୀ ସଂସ୍କୃତି ନିକଟରେ ବିଶ୍ୱକୁ ଦୃଷ୍ଟାନ୍ତ ଯୋଗାଇବା ପରି ଚିନ୍ତା – ମାନସ ଆଦିକାଳରୁ ବିଦ୍ୟମାନ ରହିଛି ଯାହା ଏକ କଲ୍ୟାଣକର ପରିସ୍ଥିରେ ବଞ୍ôଚବାର ବାର୍ତ୍ତା ବହନ କରେ ବୋଲି ପ୍ରକାଶ କରିଥିଲେ ଏବଂ ଏହିପରି ଏକ ସାଂସ୍କୃତିକ ଆଦାନପ୍ରଦାନର ଅବସର ସୃଷ୍ଟି କରି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମଧ୍ଯ ସେ ମତ ଦେଇଥିଲେ । ଶ୍ରୀଲଙ୍କାର ବିଶିଷ୍ଟ ନୃତ୍ୟଶିଳ୍ପୀ ଚାନ୍ଦିନୀ କସ୍ତୁରୀ ଆରାଚ୍ଚି କଳା କେବଳ ଆନନ୍ଦ ଉପଲବ୍ଧିର ତଥା ମନୋରଞ୍ଜନର ବିଷୟ ନୁହେ ବରଂ ଏହା ଆତ୍ମଉପଲବ୍ଧିର ମାଧ୍ୟମ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏହାର ଗୁରୁତ୍ୱକୁ ବୁଝି ତାକୁ ଶ୍ରେଣୀଶିକ୍ଷାଦାନ ସହିତ ଗୋଟିଏ ସମାନ୍ତରାଳରେ ରଖି ଗତିପ୍ରଦାନ କରିବାର ପ୍ରଶଂଶନୀୟ ପ୍ରୟାସ କରିଛି ବୋଲି ପ୍ରକାଶ କରିଥିଲେ । କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣକୁ ଶ୍ରେଣୀଗୃହ ଚାରିକାନ୍ଥ ଭିତରେ ଆୟତ କରି ରଖିବାରେ ବିଶ୍ୱାସ ନକରି ଏକରୁ ବହୁକୁ, ବ୍ୟକ୍ତିରୁ ବିଶ୍ୱକୁ ଗୋଟିଏ ପ୍ରସାରିତ ଦୃଷ୍ଟି ନେଇ ଶୈକ୍ଷିକ ପରିସର ସୃଷ୍ଟି ନକଲେ ପ୍ରକୃତରେ ବିଶ୍ୱକୁ ଦେଖିହେବ ନାହିଁ ବୋଲି ପ୍ରକାଶ କରିଥିଲେ । ସାହିତ୍ୟ ଏକାଡେମୀ କଲିକତାର ପ୍ରୋଗ୍ରାମ୍ ଅଫିସର ଡ. ମିହିର କୁମାର ଦାସ ଏହି ଆନ୍ତର୍ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଭୟ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ସ୍ତରର ଲୌକିକ ପରମ୍ପରାରେ ବିଦ୍ୟମାନ ଥିବା ମୌଳିକ ଜ୍ଞାନ, କଳା, ସଂସ୍କୃତି ତଥା ଲୋକଧାରା, ନୃତ୍ୟ, ଗୀତ, ବାଦ୍ୟ, ଜୀବନ-ଦର୍ଶନ ତଥା ସାଂସ୍କୃତିକ ପରମ୍ପରା କ୍ରମେ ଅର୍ଜିତ ଅନ୍ୟାନ୍ୟ ଜ୍ଞାନକୌଶଳ ସହିତ ସମସ୍ତଙ୍କୁ ପରିଚିତ କରାଇ ତା’ର ମୂଲ୍ୟବୋଧକୁ ଲୋକାଭିମୁଖି କରିବା ପାଇଁ ବିଶ୍ୱବିଦ୍ୟାଳୟର ଏ ପ୍ରୟାସ ପ୍ରଶଂଶନୀୟ ବୋଲି ମତ ଦେଇଥିଲେ ।
କାର୍ଯ୍ୟକ୍ରମର ସଂଯୋଜକ ଡ. ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ ସଂସ୍କୃତି ପରମ୍ପରାଗତ ଜ୍ଞାନର ଏକ ସଙ୍ଗଠିତ ରୂପ ଏବଂ ଏହାର ପ୍ରଚାର ପ୍ରସାର ଜୀବନକୁ ସୁନ୍ଦର ଓ ସୁଭଗ କରେ ବୋଲି କହିଥିଲେ । କୁଳସଚିବ ଶ୍ରିମତୀ କୁକୁମୀନା ଦାସ ସଂସ୍କୃତି ଆମର ଜାତୀୟ ଅସ୍ମିତା, ତାହା ଜୀବନରେ ବାସ୍ତବାୟିତ ହୋଇନପାରିଲେ ଏକ ସମୃଦ୍ଧ ସମାଜର ପରିକଳ୍ପନା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଥିଲେ । ଏହି ସାଂସ୍କୃତିକ – ଶୈକ୍ଷିକ ଉତ୍ସବରେ ଥିଏଟର, ଚିତ୍ରକଳା, ତାଳପତ୍ର ଲିଖନ, ଜଉ କଣ୍ଢେଇ ବିଷୟରେ କର୍ମଶାଳା; ଭୂତାତ୍ତ୍ୱିକ ବସ୍ତୁ, ପ୍ରତ୍ନତାତ୍ତ୍ୱିକ ବସ୍ତୁ, ଫଟୋ ଓ ଚିତ୍ରକଳା ପ୍ରବୃତ୍ତି ବିଷୟକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଏଥି ସହିତ ଓଡ଼ିଶାର ଆଦିବାସୀ ତଥା ଓଡ଼ିଶୀ ସାଂସ୍କୃତିକ ପରମ୍ପରା ଅନୁସାରୀ ପିଠାପଣା ଭିତ୍ତିକ ପ୍ରଦର୍ଶନଶୀଳକଳାର ମଧ୍ୟ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ୨୬ ତାରିଖ ଦିନ ଉଦଯାପିତ ହେବ ।
