ସହରାଞ୍ଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବ ସିଏମସି ଇନ୍ଡୋର ରୋଗୀଙ୍କୁ ଅଧିକ ସୁବିଧା ଦେବାକୁ ସମୀକ୍ଷା ବୈଠକରେ ଏମ୍ପିଙ୍କ ଗୁରୁତ୍ୱ
କଟକ : କଟକ ମହାନଗର ନିଗମ(ସିଏମସି) ସମ୍ମିଳନୀ କକ୍ଷରେ ଆଜି ପୁର୍ବାହ୍ନରେ ସହରରେ ଥିବା ୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟଶୈଳୀ ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପରୋକ୍ତ କେନ୍ଦ୍ରଗୁଡିକର ଦାୟିତ୍ୱରେ ଥିବା ସମସ୍ତ ମେଡିକାଲ ଅଫିସର ଓ ଅଧିକ୍ଷକ ଯୋଗଦେଇଥିଲେ । କିପରି ଉନ୍ନତ ମାନର ସେବା ଲୋକଙ୍କୁ ଯୋଗାଇ ଦିଆଯାଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ବିଶେଷକରି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର କାର୍ଯ୍ୟଶୈଳୀ ସଂପର୍କରେ ତର୍ଜମା କରାଯାଇ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସେବାକୁ ଯେପରି କାର୍ଯ୍ୟକ୍ଷମ କରାଯାଇପାରିବ ତାହା ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ କଟକ ଲୋକସଭା ସଦସ୍ୟ ଭର୍ତୃହରି ମହତାବ ଯୋଗଦେଇ ରୋଗୀ ସେବାକୁ ଅଧିକ ଉନ୍ନତ ମାନର କରିବା ପାଇଁ ପରାମର୍ଶ ଦେଇଥିଲେ । ରୋଗୀଙ୍କ ଆବଶ୍ୟକତା ଓ ଉପୁଜୁଥିବା ବାଧା ବିଘ୍ନର ସମାଧାନ ପାଇଁ ସେ ଚିିକିତ୍ସକମାନଙ୍କୁ ପରାମର୍ଶ ଦେଇଥିଲେ । ସହରରେ ଦେଖାଦେଇଥିବା ଡେଙ୍ଗୁ ରୋଗର ନିରାକରଣ ଓ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ ଦେବା ଲାଗି ବୈଠକରେ ଆଲୋଚନା କରାଯାଇଥିଲା । ଇନ୍ଡୋର ଚିକିତ୍ସା ସେବା ଯେପରି ଅଧିକ କାର୍ଯ୍ୟକ୍ଷମ ହୋଇପାରିବ ସେଥି ଉପରେ ଗୁରୁତ୍ୱ ଦେବାକୁ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଥିଲା । ଅଧିକ ଷ୍ଟାଫ୍ ଯୋଗାଣ ସହ ଉନ୍ନତ ମାନର ଯନ୍ତ୍ରପାତି ସ୍ଥାପନ ପାଇଁ ମେଡିକାଲ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ । ସେହିପରି ଭିତିଭୂମିର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନାରେ ମତ ପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ସହରାଂଚଳ ସ୍ୱାସ୍ଥ୍ୟ ଅଧିକାରୀ, ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ସମେତ ପୂର୍ତ ଓ ସିଏମସି ଇଂଜିନିୟର ଏହି ବୈଠକରେ ଯୋଗଦେଇଥିଲେ ।
