ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ଶାଖା ପକ୍ଷରୁ ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ଶାଖା ପକ୍ଷରୁ ଦୁଇଦିନିଆ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ବାଲେଶ୍ୱର ସହରର ଗୋପାଳଗାଁ ସ୍ଥିତ କାର୍ଯ୍ୟାଳୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଜିଲାସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିବା ସହିତ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏହି ଶିକ୍ଷକ ପ୍ରଶିକ୍ଷଣ ଶିବିର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ ।
ରାଜ୍ୟସରକାରଙ୍କ ପକ୍ଷରୁ ଅନୁରୂପ ଭାବେ ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯାଉଛି । ତେବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଏହିଭଳି ପ୍ରଶିକ୍ଷଣ ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷଦାନ ସାଙ୍ଗକୁ ଶୈକ୍ଷିକ ବାତାବରଣ ସୃଷ୍ଟିରେ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଶିକ୍ଷା ବିକାଶ ସଂସ୍ଥାନର ରାଜ୍ୟ ସଂଯୋଜକ ଗୌରାଙ୍ଗ ବିଶ୍ୱାଳ, ରାଜ୍ୟ ପ୍ରଶିକ୍ଷକ ଲକ୍ଷ୍ମୀଧର ଆଚାର୍ଯ୍ୟ, ରାଜ୍ୟ ବାଟିକା ପ୍ରଶିକ୍ଷିକା ବସନ୍ତମଞ୍ଜରୀ ନନ୍ଦ, ରାଜ୍ୟ ପ୍ରାର୍ଥନା ପ୍ରମୁଖ ଦିଲୀପ ମଲିକ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସମ୍ପାଦକ ଗୟାଧର କର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ଦ୍ୱାରା ଶିକ୍ଷାଦାନର ମାନ ବୃଦ୍ଧି ହୋଇଥାଏ ବୋଲି କହିଥିଲେ । ଜିଲା ପ୍ରମୁଖ ଦୀପ୍ତିକାନ୍ତ ପାଢ଼ୀ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଜିଲା ସଂଯୋଜକ ଶମ୍ଭୁନାଥ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲାର ୪୮ ଗୋଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଶତାଧିକ ଶିକ୍ଷୟିତ୍ରୀଶିକ୍ଷକ ଶିବିରରେ ଯୋଗଦାନ କରିଥିଲେ ।
