ବାଇକ୍କୁ ପିଟିଲା ବସ୍ : ବାପ ମୃତ, ପୁଅ ଗୁରୁତର
ତିହିଡ଼ି : ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡ଼ି ସତ୍ସଂଗ ବିହାର ନିକଟରେ ଶୁକ୍ରବାର ଏକ ବସ୍ ବିପରୀତ ଦିଗରୁ ଆସୁଥିବା ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ବାପ ମୃତ୍ୟୁବରଣ କରିଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ ସକାଳ ୯ଟା ସମୟରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଭଗବାନଶୁଣୀ (ନଂ ଓଆର୨୨ଡି ୧୧୬୩) ନାମକ ବସ୍ ଯାଉଥିଲା । ବିପରୀତ ଦିଗରୁ ଭଦ୍ରକ ଅଭିମୁଖେ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ସଚ୍ଚିନ୍ଦ୍ରନାଥ ମାଝୀ (୭୪) ଓ ତାଙ୍କ ପୁଅ ଜ୍ଞାନେନ୍ଦ୍ର ମାଝୀ (୩୦) ଯାଉଥିଲେ । ତିହିଡ଼ି ସତ୍ସଙ୍ଗ ବିହାର ନିକଟରେ ବସ୍ଟି ବାଇକ୍କୁ ଧକ୍କା ଦେବା ଫଳରେ ବାଇକ୍ରେ ଯାଉଥିବା ବାପ-ପୁଅ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ଦୁଇଜଣଙ୍କୁ ତିହିଡ଼ି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ବାପ ସଚ୍ଚିନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଥିଲା । ମାତ୍ର ଡାକ୍ତରଖାନା ଯିବା ବାଟରେ ସଚ୍ଚିନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ପରେ ପୁଅ ଜ୍ଞାନେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପୁଲିସ କେଶ ନଂ ୪୬୩/୨୨ରେ ଏକ ମକଦ୍ଦମା ରୁଜୁ କରି ଧକ୍କା ଦେଇଥିବା ବସ୍କୁ ଜବତ କରିବା ସହି ଡ୍ରାଇଭର ମହରମପୁର ଗ୍ରାମର ଅଜୟ କୁମାର ନାୟକକୁ ଅଟକ ରଖିଛି ।
