ଐତିହାସିକ କଟକ ବାଲିଯାତ୍ରା-୨୦୨୨ ଉଦଘାଟିତ
କଟକ : ଉଦଘାଟିତ ହୋଇଛି କଟକର ଐତିହାସିକ ବାଲିଯାତ୍ରା-୨୦୨୨। କୋଭିଡ ପାଇଁ ୨ ବର୍ଷ ପରେ ହେଉଛି ବାଲିଯାତ୍ରା। ପ୍ରଥମ ଦିନରୁ ହିଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବାଲିଯାତ୍ରା ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ମେୟର ସୁବାସ ସିଂ, ସାଂସଦ ଭର୍ତ୍ତୃହରି ମହତାବ ଓ ସାଂସଦ ରାଜଶ୍ରୀ ମଲ୍ଲିକ ଉଦଘାଟନ ସମାରୋହରେ ଯୋଗଦେଇଥିଲେ।
ଏଥର ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ଆରମ୍ଭ ହୋଇଛି ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରାରେ ଲେଜର ଲାଇଟ ସୋ ‘କଟକ ଇନ କଟକ’ ପ୍ୟାଭିଲିୟନ ପରିକଳ୍ପନା କରାଯାଇଛି। ଏଥିରେ ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର, ମସଜିଦ ଓ ଗୁରୁଦ୍ବାର ସବୁ ଦେଖିବାକୁ ବ୍ୟବସ୍ଥା କରାଯାଇଛି। ଏହାସହିତ ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର, ରେଳଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ତୋରଣ ଅନ୍ୟତମ ଆକର୍ଷଣ ପାଲଟିଛି ବୋଲି ବୋଲି ଡ଼ିଆରଡ଼ିଏ ଅମ୍ବର କର ପ୍ରକାଶ କରିଛନ୍ତି।
ଚଳିତବର୍ଷ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିବେ ବୋଲି ଆକଳନ କରାଯାଇଛି। ଭିଡ ନିୟନ୍ତ୍ରଣ କରିବା ନେଇ ଟ୍ରାଫିକ ବ୍ୟବସ୍ଥା ଓ ଉଭୟ ପଡିଆରେ ଜନସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିବେ ସେଥିପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ।
