ହୃଦଘାତରେ ରାଜେନ୍ଦ୍ର ଦାସଙ୍କ ଭାତୃ ବିୟୋଗ
ଭଦ୍ରକ: ଧାମନଗର ଉପନିର୍ବାଚନ ଭୋଟ ଗଣତି ସମୟରେ ଏକ ଦୁଃଖଦ ଖବର ଆସିଛି। ହୃଦଘାତରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭାତୃ ବିୟୋଗ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ରାଜୁଙ୍କ ବଡ଼ ଭାଇ ମନିନ୍ଦ୍ର ଦାସଙ୍କ ଦେହାନ୍ତ ଗୁରୁବାର ମଧ୍ୟାହ୍ନରେ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ହେବ ମନିନ୍ଦ୍ର ଦାସ ମେଡିକାଲରେ ଚିକିତ୍ସିତ ହେଉଥିଲେ।
ବିଜେଡିରୁ ବିଦା ହୋଇଥିବା ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କ ପାଇଁ ବୋଝ ଉପରେ ନଳିତା ବିଡା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ଧାମନଗର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଏକ ଦୁଃଖଦ ସମ୍ବାଦ ଆସିଛି। ରାଜୁ ଦାସଙ୍କ ବଡ ଭାଇ ମନିନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜୁ ଦାସ ସ୍ୱାଧୀନ ଭାବେ ନିର୍ବାଚନ ଲଢିଛନ୍ତି। ଗୋଟିଏ ପରେ ନିର୍ବାଚନରେ ରାଜୁ ଦାସ ଶୋଚନୀୟ ପରାଜୟ ମୁହାଁ ହେଛନ୍ତି, ଅନ୍ୟପଟେ ଭାତୃ ବିୟୋଗ ତାଙ୍କୁ ଭାଙ୍ଗି ଦେଇଛି।
୨୦୧୯ରେ ରାଜୁ ଦାସ, ବିଜେଡି ଟିକଟରେ ବିଧାନସଭା ନିର୍ବାଚନ ଲଢିଥିଲେ। କିନ୍ତୁ ସେ ବିଜେପିର ବିଷ୍ଣୁ ସେଠୀଙ୍କ ଠାରୁ ପ୍ରାୟ ୫ ହଜାର ଭୋଟରେ ପରାଜୟ ହୋଇଥିଲେ। ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗରରେ ଉପନିର୍ବାଚନ ହୋଇଛି। ତେବେ ବିଜେଡି ଟିକଟ ନ ମିଳିବାରୁ ରାଜୁ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ। ଫଳରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଛି। ବିଜେଡି, ରାଜୁ ଦାସ ବଦଳରେ ଅବନ୍ତୀ ଦାସଙ୍କୁ ଟିକଟ ଦେଇଥିଲା।
