ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ : କାର୍ତିକ ପଞ୍ଚୁକ ଶୁକ୍ଲ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଙ୍କ ମସ୍ତକରେ ଲାଗିହୋଇଥିବା ସୁନାକିଆ ବଙ୍କେଇ ରହିଥିବାରୁ ଏହାକୁ ଆଡ଼ିକିଆ ବେଶ କୁହାଯାଉଛି । ସୋଲ,କନା,ବେତ, ଜମ୍ବୁରା ଓ କଇଥ ଅଠାରେ ଚୂଳରେ ଏହି କିଆ ଖୋସା ଯାଇଥାଏ । ଚୂଳର ଶେଷ ଭାଗରେ ସୁନାର ଚନ୍ଦ୍ରିକା ଲାଗି ହୋଇଥାଏ । ମା ସୁଭଦ୍ରାଙ୍କୁ ମଧ୍ୟ ସୁନା ଚନ୍ଦ୍ରିକା ଲାଗି କରାଯାଏ । ଆଡ଼କାନି ଲାଗି ହୁଏ । ଏହାସହ ଘାଗଡ଼ାମାଳି, ବରକୋଳି ମାଳି, ପଦ୍ମମାଳି, ଗିନି ମାଳି, ପଦକମାଳି ପନ୍ଧା ଯାଇଥାଏ । ଶ୍ରୀପୟର,ଶ୍ରୀହସ୍ତ ଓ ଆୟୁଧ୍ୟ ଲାଗି କରାଯାଇଥିଲା । ଜଗନ୍ନାଥ ଓ ବଳଭଦ୍ରଙ୍କୁ ଲୁଗା କଛା ମାରି ପିନ୍ଧାଇ ଦିଆଯାଇଥିଲା । ସକାଳୁ ଅବକାଶ ନୀତି ପରେ ଏହି ବେଶ ଆରମ୍ଭ ହୋଇଥିଲା । ପୁଷ୍ପପାଳକ ସେବକମାନେ ଏହି ବେଶ କରିଥିଲେ । ମହାପ୍ରଭୁଙ୍କର ଏହି ବାମନବେଶକୁ ହଜାର ହଜାର ଭକ୍ତ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଥିଲେ ।
