ଭାରତକୁ ହରାଇଲେ ଜିମ୍ବାୱେ ଖେଳାଳିଙ୍କୁ ବାହା ହେବି : ପାକିସ୍ତାନ ଅଭିନେତ୍ରୀ
ଇସଲାମାବାଦ: ଭାରତକୁ ହରାଇବା ପାଇଁ ଲୋଭନୀୟ ତଥା ଅଜବ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ସେହର ଶିନୱାରି। ଚଳିତ ଟି-୨୦ ବିଶ୍ୱକପର ଆସନ୍ତା ମ୍ୟାଚ୍ରେ ଯଦି ଜିମ୍ବାୱେ ଭାରତକୁ ହରାଇ ଦେଲା ତେବେ ମୁଁ ଜଣେ ଜିମ୍ବାୱେ ଖେଳାଳିଙ୍କୁ ବିବାହ କରିବି। ଆସନ୍ତା ନଭେମ୍ବର ୬ ତାରିଖରେ ଜିମ୍ବାୱେ-ଭାରତ ମଧ୍ୟରେ ମ୍ୟାଚ୍ ଖେଳାଯିବ। ତା ପୂର୍ବରୁ ଭାରତର ପରାଜୟ କାମନା କରି ଜିମ୍ୱାୱେ ଟିମ୍କୁ ଏମିତି ଅଫର ଦେଇଛନ୍ତି ଶିନୱାରୀ। ଜିମ୍ବାୱେ ପୂର୍ବରୁ ପାକିସ୍ତାନକୁ ହରାଇଥିବାରୁ ଏବେ ଭାରତକୁ ମଧ୍ୟ ଉକ୍ତ ଦଳ ହରାଉ ବୋଲି ଚାହୁଁଛନ୍ତି ଅଭିନେତ୍ରୀ ସେହର। ସେହର ଶିନୱାରି ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଟିମ୍ର ଅମଙ୍ଗଳ କାମନା କରି ନାହାନ୍ତି। ପୂର୍ବରୁ ମଧ୍ୟ ସେ ଭାରତୀୟ ଟିମ୍କୁ ସମାଲୋଚନା ଓ ତାଚ୍ଛଲ୍ୟ କରିବାର ନଜିର ରହିଛି।
ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ଭାରତର ପରାଜୟ ନେଇ ସେ ବାରମ୍ବାର ଟ୍ୱିଟ କରୁଥିଲେ। ତେବେ ବାରମ୍ବାର ଭାରତର ପରାଜୟ କାମନା କରୁଥିବା ସେହର ଶେଷରେ ନିରାଶ ହୋଇଥିଲେ। ଭାରତ ମ୍ୟାଚ ଜିତିବା ପରେ ସୋଶାଲ ମିଡିଆରେ ତାଙ୍କୁ ଅନେକ ୟୁଜର୍ସ ଟ୍ରୋଲ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ସେ ଆଜି ପୁଣି ଥରେ ଭାରତ-ଜିମ୍ବାୱେ ମ୍ୟାଚ୍କୁ ନେଇ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଜିମ୍ବାୱେ ଯଦି ଆଶ୍ଚର୍ଯ୍ୟଜନକ ଭାବେ ପରବର୍ତ୍ତୀ ମ୍ୟାଚ୍ରେ ଭାରତକୁ ହରାଇ ଦେବ, ତା’ହେଲେ ମୁଁ ଜଣେ ଜିମ୍ବାୱେ ନାଗରିକଙ୍କୁ ବିବାହ କରିବି।” ସେ ଟ୍ୱିଟ କରିବା ପରେ ଏହାକୁ ପ୍ରାୟ ୧ହଜାର ଲୋକ ଲାଇକ କରିଥିବା ବେଳେ ଏଯାଏ ୪୯ ଜଣ ରି-ଟ୍ୱିଟ କରିଛନ୍ତି।
ସେହିପରି ଅନେକ ଲୋକ ଅଭିନେତ୍ରୀ ସେହରଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ଜଣେ କହିଛନ୍ତି, “ମୁଁ ଆପଣଙ୍କ ପାଇଁ ଦୁଃଖିତ। କାରଣ ଆପଣ କେମିତି ସାରା ଜୀବନ ଏକାକୀ ରହିବେ?” ଆଉ ଜଣେ କହିଛନ୍ତି, “ଭାରତ ବୁଧବାର ବାଂଲାଦେଶକୁ ହରାଇବା ପରେ ଆମେ ଭାବୁଥିଲୁ ଆପଣ ନିଜର ଟ୍ୱିଟର ଆକାଉଣ୍ଟ ଡିଲିଟ କରିଦେବ। ହେଲେ ଆପଣ…।”
ଟ୍ରୋଲ ସତ୍ତ୍ୱେ ସେ ଭାରତୀୟ ଟିମ୍କୁ ଗୁଣି କରିଦେବା ନେଇ ମଧ୍ୟ ଆଉ ଏକ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଆଜି ଯଦି ପାକିସ୍ତାନ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଉଛି, ତା’ହେଲେ ମୁଁ ବଙ୍ଗାଳୀ ବାବା ଯାଇ ଭାରତୀୟ ଟିମ୍ ଉପରେ ଗୁଣି କରିଦେବି। ଏହାଦ୍ୱାରା ସେମାନେ ଆଉ ଜିମ୍ବାୱେ ବିପକ୍ଷରେ ମ୍ୟାଚ୍ ଜିତି ପାରିବେ ନାହିଁ। ଭାରତ ହାରିଲେ ପାକିସ୍ତାନ ଆପେଆପେ ଚଳିତ ବିଶ୍ୱକପର ସେମି ଫାଇନାଲକୁ ଯିବ।”
