ଟି-୨୦ ବିଶ୍ଵ କପ୍ : ଆଫଗାନିସ୍ତାନକୁ ୪ ରନରେ ହରାଇଲା ଅଷ୍ଟ୍ରେଲିଆ, ବିପଦରେ ସେମି ଫାଇନାଲ୍ ଯୋଗ୍ୟତା
ନୂଆଦିଲ୍ଲୀ : ଚଳିତ ଟି-୨୦ ବିଶ୍ଵ କପ୍ର ୩୮ତମ ମ୍ୟାଚ୍ରେ ଶୁକ୍ରବାର ଆଫଗାନିସ୍ତାନକୁ ୪ ରନରେ ହରାଇଲା ଅଷ୍ଟ୍ରେଲିଆ। ବିଜୟ ସହିତ ଘରୋଇ ଦଳ ଗ୍ରୁପ-୧ର ଦ୍ଵିତୀୟକୁ ଉଠିଥିଲେ ହେଁ ସେମି ଫାଇନାଲ୍ ପାଇଁ ଅଦ୍ୟାବଧି ଯୋଗ୍ୟତା ଅର୍ଜନ କରି ପାରିନାହିଁ। ଅଷ୍ଟ୍ରେଲିଆ ଉପରେ ଏବେ ମଧ୍ୟ ବିଶ୍ଵ କପ୍ରୁ ବାଦ୍ ପଡିବାର ବିପଦ ରହିଛି। କାରଣ ଆଫଗାନିସ୍ତାନକୁ ହରାଇବା ପରେ ବି ଅଷ୍ଟ୍ରେଲିଆର ନେଟ୍ ରନ ରେଟ୍ ବିଯୁକ୍ତ ୦.୧୭ ରହିଛି। ଅନ୍ୟପକ୍ଷେ ଇଂଲଣ୍ଡର ନେଟ୍ ରନ ରେଟ୍ ଯୁକ୍ତ ୦.୫୪୭ ସହ ତୃତୀୟ ସ୍ଥାନରେ ରହିଛି। ଶନିବାର ଇଂଲଣ୍ଡ ନିଜର ଶେଷ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ। ମ୍ୟାଚ୍ ଜିତିଲେ ଇଂଲଣ୍ଡ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିବ। ଖରାପ ରନ ରେଟ୍ କାରଣରୁ ସାତ ପଏଣ୍ଟ ପଏଣ୍ଟ ପାଇ ସୁଦ୍ଧା ଆୟୋଜକ ଅଷ୍ଟ୍ରେଲିଆକୁ ବିଶ୍ଵ କପ୍ରୁ ବିଦା ହେବାକୁ ପଡିବ। ଯଦି ଇଂଲଣ୍ଡ ଶ୍ରୀଲଙ୍କାଠୁ ହାରିଯାଏ ତେବେ ଅଷ୍ଟ୍ରେଲିଆ ଗ୍ରୁପ୍ ୧ରୁ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲ୍ରେ ପହଞ୍ଚିବ।
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସଓ୍ଵେଲ ୫୪ ରନର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ମିଚେଲ୍ ମାର୍ଶ ୪୫, ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ମାର୍କସ ଷ୍ଟୋଇନିସ୍ ୨୫ ରନ ଲେଖାଏଁ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ ହକ ସର୍ବାଧିକ ତିନି ସଫଳତା ପାଇଥିଲେ। ନେଟ୍ ରନ ରେଟ୍ ମାମଲାରେ ଇଂଲଣ୍ଡକୁ ପଛରେ ପକାଇବା ପାଇଁ ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନକୁ ୧୦୬ ରନ ପୂର୍ବରୁ ଅଟକାଇବାର ଥିଲା। ମାତ୍ର କଙ୍ଗାରୁ ଦଳ ବଡ ସଂଘର୍ଷ କରି ମ୍ୟାଚ୍ ଜିତିବାରେ ସଫଳ ହୋଇଛି।
୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରି ଆଫଗାନିସ୍ତାନ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୪ ରନ କରି ପାରିଥିଲା। ଶେଷ ଆଡକୁ ରଶିଦ ଖାନ ୨୩ ବଲ୍ରେ ୩ ଚୌକା ଏବଂ ୪ ଛକା ଜରିଆରେ ୪୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ସେ ଦଳକୁ ଜିତାଇପାରିନଥିଲେ। ୧୩ ଓଭର ପର୍ଯ୍ୟନ୍ତ ଆଫଗାନିସ୍ତାନ ମ୍ୟାଚ୍ରେ ରହିଥିଲା। ମାତ୍ର ଆଡମ ଜାମ୍ପାଙ୍କ ୧୪ତମ ଓଭରରେ ଗୋଟିଏ ରନ ଆଉଟ୍ ସହିତ ୩ ଓ୍ଵିକେଟ୍ ଖସିବା ଆଫଗାନିସ୍ତାନ ପାଇଁ ମହଙ୍ଗା ପଡିଥିଲା।
