ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ସାକ୍ଷାତ କଲେ ଶିଶୁ ମଙ୍ଗଳ ସମିତି
କଟକ : ନୂତନଭାବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତ ମନ୍ଦାକିନୀ କରଙ୍କୁ କଟକ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ମନ୍ଦାକିନୀ ଜେମା ଓ ସଦସ୍ୟ ଅମୀୟ ଭୂଷଣ ବିଶ୍ୱାଳ ଓ ଚିତ୍ତରଞ୍ଜନ ମହାନ୍ତି ସୌଜନ୍ୟମୂଳକ ସାକ୍ଷାତ କରି ଶିଶୁମାନଙ୍କର ସୁରକ୍ଷା ଓ ଅଧିକାର ସଂପର୍କରେ ଆଲୋଚନା କରିଛନ୍ତି । ଏହି ସାକ୍ଷାତ ଅବସରରେ କଟକ ଜିଲ୍ଲାରେ ଶିଶୁ ସୁରକ୍ଷା ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିବା ସହିତ ବାଲ୍ୟ ବିବାହ, ଶିଶୁ ଶ୍ରମିକ ନିରାକରଣ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଗରେ ହେଉଥିବା ଅସୁବିଧାକୁ ମଧ୍ୟ ଆୟୋଗ ମହୋଦୟାଙ୍କୁ ଅବଗତ କରିଛନ୍ତି । ଏହି ଅବସରରେ ପୋଲିସ୍ର ଶିଥିଳ କାର୍ଯ୍ୟାନୁଷ୍ଠାନ କିପରି ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଯୌନ ନିର୍ଯାତନା ଘଟଣା ଦିନକୁ ଦିନ ବଢିବାରେ ସାହାଯ୍ୟ କରୁଛି ତାହା ଅଧ୍ୟକ୍ଷାଙ୍କୁ ଅବଗତ କରାଇଛନ୍ତି । ବାଲ୍ୟବିବାହ ନିରୋଧ ଆଇନ କାର୍ଯ୍ୟକାରୀ ହେବା ପରଠାରୁ କଟକ ଜିଲ୍ଲାରେ ଗୋଟିଏ ହେଲେ ଏଫ୍.ଆଇ.ଆର୍ ହୋଇନଥିବା ଓ ଯୌନ ଶୋଷଣ ଶିକାର ହେଉଥିବା ଘଟଣାରେ ଅଭିଯୁକ୍ତ ବ୍ୟତୀତ ଅନ୍ୟ କାହା ଉପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଶିଶୁ ନିର୍ଯାତନା ବୃଦ୍ଧିର ଅନ୍ୟତମ କାରଣ ବୋଲି ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷାଙ୍କୁ ଜଣାଇଛନ୍ତି । ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପାଇଲେ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଥିଲେ ।
