ଟୁରିଷ୍ଟ ବସ୍ରୁ ରାଜପଥରେ ଚାନ୍ଦା ଆଦାୟ ଘଟଣା : ଅଭିଯୁକ୍ତ ଗିରଫ ନ ହେଲେ ଆନ୍ଦୋଳନ
ଜଳେଶ୍ୱର : ୬୦ ନଂ ଜାତୀୟ ରାଜପଥରେ ଟୁଲ ପ୍ଲାଜାଠାରେ ଏକ ଟୁରିଷ୍ଟ ବସ୍କୁ ଅଟକାଇ ଚାନ୍ଦା ଆଦାୟ କରିବା ଯୋଗୁଁ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଳେଶ୍ୱର ପୁଲିସ୍ ଅଦ୍ୟାବଧି ଚାନ୍ଦା ଆଦାୟକାରୀଙ୍କୁ ଗିରଫ କରିନଥିବାରୁ ନ୍ୟାୟ ପାଇଁ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଘଟଣାରୁ ପ୍ରକାଶ ଗତ ୧୩ ତାରିଖରେ ପଶ୍ଚିମବଂଗର ବିରଭୂମଠାରୁ ପୁରୀ ଜଗନ୍ନାଥ ଧାମ ଅଭିମୁଖେ ଯାଉଥିବା ଡବ୍ଲୁବି୫୩-୭୭୫୯ ଟୁରିଷ୍ଟ ବସ୍ ଭୋର ସମୟରେ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ପହଞ୍ଚିଥିଲା । ନିକଟସ୍ଥ ଏକ ଭଡାଘରୁ ୫/୬ଜଣ ଯୁବକ ଚାନ୍ଦା ଆଦାୟ କରିବା ପାଇଁ ଦୌଡି ଆସି ବସ୍ ଆଗରେ ଛିଡା ହୋଇଥିଲେ । ବସ୍ ଡ୍ରାଇଭର ହଠାତ୍ ବ୍ରେକ୍ ଦେବାରୁ ପଛରୁ ଆସୁଥିବା ଓଡି୦୨ଏଏସ୍-୦୫୬୯ କଣ୍ଟେନର ବସ୍ର ପଛକୁ ଧକ୍କା ଦେଇଥିଲା । ଏଥିରେ ଜଣେ ବସ୍ ଯାତ୍ରୀ ଓ କଣ୍ଟେନର ଡ୍ରାଇଭର ମୃତ୍ୟୁବରଣ କରିଥିଲେ । ଏଥିରେ ୧୫ଜଣ ଯାତ୍ରୀ ଗୁରୁତର ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହୋଇଥିଲେ । ଏବେ ଘଟଣାରୁ ୧୫ଦିନ ଘଟିଥିଲେ ମଧ୍ୟ ଅଦ୍ୟାବଧି ପୁଲିସ୍ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଅନ୍ୟ ପକ୍ଷରେ ଟୋଲ ପ୍ଲାଜାରେ ଲାଗି ଥିବା ସିସି କ୍ୟାମେରାରେ କଏଦ ହୋଇଥିବା ଏହି ଯୁବକମାନଙ୍କର ଫଟୋ ରହିଛି । ପୁଲିସ୍ ଜାଣିଶୁଣି ଏହି ଚାନ୍ଦା ଆଦାୟକାରୀଙ୍କୁ ପରୋକ୍ଷରେ ସହାୟତା କରୁଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆଜି ବିଜେପି ପକ୍ଷରୁ ଫାଲଗୁନୀ ପାଣିଗ୍ରାହୀ, ଅରୁଣ ବେଜ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ସାବିତ୍ରୀ ଜେନା, ଜଗନ୍ନାଥ ଗୋଚ୍ଛାୟତ, ସୁମତି ରଣା ପ୍ରମୁଖ ଜଳେଶ୍ୱର ଥାନା ଅଧିକାରୀ ରୋଜାଲିନ୍ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଆସନ୍ତା ୧୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଥାନା ଘେରାଓ କରାଯିବ ବୋଲି ଚେତାବନି ଦେଇଛନ୍ତି । ପ୍ରକାଶଯୋଗ୍ୟ ଏହି ଚାନ୍ଦା ଆଦାୟକାରମାନେ ଅଭିନବ ଉପାୟରେ ବେଙ୍ଗଲ ବୋର୍ଡର ଠାରୁ ନନ୍ଦିକା ବାଇପାସ୍ ମଧ୍ୟରେ ମୋଟର ସାଇକେଲ ଯୋଗେ ଗାଡି ଗୁଡିକୁ ପିଛାକରି ସଂଘବଦ୍ଧଭାବେ ଚାନ୍ଦା ଆଦାୟ କରୁଥିବା ଦେଖିବାକୁ ମିଳୁଛ।
