ଓଡ଼ିଶାରେ ପ୍ରଥମ ! ବାଲେଶ୍ୱରରୁ ୧୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ, ଅନ୍ତଃରାଜ୍ୟ ବେପାରୀଙ୍କ ସହ ୬ ଗିରଫ
ବାଲେଶ୍ୱର : ପୁଣି ବାଲେଶ୍ୱରରୁ ଜବତ ହେଲା ବ୍ରାଉନ୍ସୁଗାର । ଏଥର ଲକ୍ଷେ ନୁହଁ କି କୋଟିଏ ଟଙ୍କାର ନୁହଁ । ଏଥିରେ ରେକର୍ଡ଼ ପରିମାଣର (ଯାହା ଓଡ଼ିଶାରେ ପ୍ରଥମ) ଏକାଥରେ ୧୧କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ ହୋଇଛି । ସେହିପରି ଏଥିରେ ସମ୍ପୃକ୍ତ ଜଣେ ଅନ୍ତଃରାଜ୍ୟ ବେପାରୀଙ୍କ ସହ ୬ଜଣଙ୍କୁ ଗିରଫ କରାଯାଇଥିବା ନେଇ ଜଣାପଡ଼ିଛି ।
ବାଲେଶ୍ୱରରୁ ରେକର୍ଡ଼ ପରିମାଣର ବ୍ରାଉନ ସୁଗର ଜବତ । ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକଙ୍କ ତତ୍ତ୍ୱାବଧାନରେ ୧୦ କେଜି ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ମାମଲାରେ ପୋଲିସ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବଙ୍କ ସମେତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଅଞ୍ଚଳର ସେକ ହୁସେନ, ସେକ ସଫିକ, ସେକ ରାଜୁ, ସେକ ସମୀର, ରିଣ୍ଟୁ ତରେଇଙ୍କୁ ଗିରଫ କରିଛି । ଏନେଇ ଶୁକ୍ରବାର ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଜିଲା ପୋଲିସ୍ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମସ୍ତ ବ୍ରାଉନ ସୁଗର ଆସାମ ଓ ପଶ୍ଚିମବଙ୍ଗ ବୋର୍ଡ଼ରରୁ ଆସୁଥିଲା ଯାହା ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥାନ୍ତା । ପୂର୍ବ ପ୍ରସ୍ତୁତି କ୍ରମେ ବାଲେଶ୍ୱର ପୋଲିସ ଫୁଲାଡ଼ି ଠାରୁ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଅଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ି ଥିବା ବେଳେ ପୋଲିସର ଚଢ଼ାଉ ବେଳେ ଛତ୍ରଭଙ୍ଗ ଦେଇଥିଲେ । ସେହିଭଳି ଗିରଫଙ୍କ ଠାରୁ ଦୁଇଟି ମୋଟର ସାଇକେଲ, ୬ଟି ମୋବାଇଲ ଓ ୨୧ ହଜାର ଟଙ୍କା ନଗଦ ଜବତ ହୋଇଛି ।
