ନୟାସଡକଠାରେ ବାଣ ପଡି ଅଗ୍ନିକାଣ୍ଡ
କଟକ : ଦିପାବଳୀ ଅବସରରେ ସହରରେ ବାଣ ଫୁଟା ଉପରେ ପ୍ରଶାସନ ପକ୍ଷରୁ କିଛିଟା ରୋକ ଲଗାଯାଇଥଲେ ହେଁ ସ୍ଥାନୀୟ ନୟାସଡକ ଛକଠାରେ ଏକ ଦୋକାନର ଦୁଇ ମହଲା ଉପରେ ବାଣ ପଡି ନିଆଁ ଲାଗିଥିବା ଜଣାଯାଇଛି । ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଏକ ବାଣ ପଡି ନୟାସଡକ ଛକଠାରେ ଥିବା ଓଟିଏମ ଦୋକାନର ଉପର ମହଲାରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଖୁବ ଜୋରରେ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ସେବା ସଂସ୍ଥାକୁ ଖବର ଦେବା ସହ ନିଆଁ ଲାଗିଥିବା ସ୍ଥାନ ପାଖାପାଖି ଥିବା ସାମଗ୍ରୀ ସବୁ ବାହାର କରିଦେଇଥିଲେ । ଖବର ପାଇ ଦୁଇଟି ଦମକଳ ଗାଡି ଆସି ନିଆଁକୁ ଲିଭାଇଥିଲା । ଏହି ଅଗ୍ନିକାଣ୍ଡ ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଘର ଉପର ଅଂଶଟି ସଂପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି ।
