କାଳୀପୂଜା ପାଇଁ ବାଣ ବଜାର ସରଗରମ, ବାତ୍ୟା ପାଇଁ ଆଶଙ୍କାରେ ବ୍ୟବସାୟୀ
ବାଲେଶ୍ୱର : ଆସନ୍ତା ୨୪ ତାରିଖଠାରୁ ସହରରେ ଶ୍ୟାମା କାଳୀପୂଜା ଆରମ୍ଭ ହେଉଥିବା ବେଳେ ଦୀପାବଳୀ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଏବେଠାରୁ ସହରଠାରୁ ମଫସଲଯାଏଁ ସବୁଠୁ ଗହଳି ଓ କିଣାବିକା ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନର କଟକଣା ଯୋଗୁଁ ବାଲେଶ୍ୱର ସହରର ଆଇଟିଆଇ ପଡ଼ିଆ ଓ ପୁରୁଣା ଷ୍ଟାଡିୟମ ପଡ଼ିଆରେ ବାଣ ଦୋକାନ କରିବାପାଇଁ ଅନୁମତି ଦିଆଯାଇଛି । ସହରର ଗଳି କନ୍ଦିରେ ବାଣଦୋକାନ କରିବାପାଇଁ ପ୍ରଶାସନ ଓ ପୋଲିସ୍ ଅନୁମତି ଦେଇନାହାଁନ୍ତି । ଆଇଟିଆଇ ପଡ଼ିଆରେ ୪୫ଟି ଷ୍ଟୋଲ୍ ଖୋଲାଯାଇଥିବା ବେଳେ ପୁରୁଣଶ ଷ୍ଟାଡ଼ିୟମରେ ୪୩ଟି ଷ୍ଟୋଲ୍ ଖୋଲିିଛି । ସମସ୍ତ ବାଣ ଦୋକାନୀକୁ ପୋଲିସ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଲାଇସେନ୍ସ ଦିଆଯାଇଥିବା ବେଳେ ସେଠାରେ ଅଗ୍ନି ନିର୍ବାପକ ସିଲିଣ୍ଡର୍ ଓ ପାଣିକୁଣ୍ଡ ବ୍ୟବସ୍ଥା କରାଯାଇଛି ।
ତେବେ ବିଗତ ଦୁଇବର୍ଷ କରୋନା କଟକଣା ଯୋଗୁଁ ବାଣ ବ୍ୟବସାୟୀମାନେ ଆଦୌ ବ୍ୟବସାୟ କରିପାରି ନଥିବା ବେଳେ ଚଳିତ ବର୍ଷ ବାଣ ବ୍ୟବସାୟୀମାନେ ଭଲ ରୋଜଗାର ଆଶାରେ ଷ୍ଟୋଲ୍ ଖୋଲିଛନ୍ତି । ଏଥର ବାଣର ପାଇକାରୀ ମୂଲ୍ୟ ୩୦ରୁ ୩୭% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାରୁ ଖୁଚୁରା ବ୍ୟବସାୟୀମାନେ ମଧ୍ୟ ଗ୍ରାହକକୁ ଅଧିକ ଦରରେ ବାଣ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ।
ତେବେ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ତାରିଖରୁ ଉପକୂଳବର୍ତୀ ଜିଲ୍ଲା ବିଶେଷକରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଯପୁର ଜିଲ୍ଲାରେ ସିତ୍ରାଙ୍ଗ ସାମୁଦ୍ରିକ ବାତ୍ୟା ଓ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଭବିଷ୍ୟବାଣୀ କରାଯାଇଥିବାରୁ ବାଣବ୍ୟବସାୟ ଚଳିତ ବର୍ଷ ମାନ୍ଦା ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ବାଣବଜାର ବିଶେଷ ଜମି ନଥିଲା ବେଳେ କେବଳ ଏହି ଦୁଇଟି ସ୍ଥାନରୁ ଖୁଚୁରା ବ୍ୟବସାୟୀମାନେ ବାଣ କିଣୁଥିବାର ଲକ୍ଷ୍ୟ କରାଯାଇଛି । ସେହିପରି ଦୁଇବର୍ଷ ପରେ ସାଧାରଣ ଗ୍ରାହକ ବାଣ ଫୁଟାଇବାପାଇଁ ଉତ୍ସାହିତ ଥିବାବେଳେ ବର୍ଷା ଓ ବାତ୍ୟା ହେଲେ ବାଣପୁଟାର ମୌଜ କମିଯିବା ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।
