ଶ୍ରୀକ୍ଷେତ୍ରରେ କାଳୀମନ୍ଦିର ଉତ୍ସବମୁଖର
ପୁରୀ : ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ କାଳୀମନ୍ଦିର ଏବେ ଉତ୍ସବ ମୁଖର ହୋଇଉଠିଛି । ଚଳିତମାସ ୨୫ ତାରିଖରେ ପବିତ୍ର ଦୀପାବଳୀ ଅମାବାସ୍ୟା ଓ କାଳୀପୂଜା ଅନୁଷ୍ଠିତ ହେବ । ସେଦିନ ସୂର୍ଯ୍ୟପରାଗ ପଡ଼ୁଥିବାରୁ ଦେବନୀତି ୨୪ ତାରିଖରୁ ଆରମ୍ଭ ହେବ । ଭକ୍ତ ଓ ଶ୍ରଦ୍ଧାଳୁମାନେ ୨୫ ତାରିଖରେ ବିଭିନ୍ନ ପୀଠରେ ମା କାଳୀଙ୍କୁ ବାହାରୁ ଥାଇ ଦର୍ଶନ କରିପାରିବେ କିନ୍ତୁ ସ୍ପର୍ଶ ଓ ଭୋଗ କରିପାରିବେ ନାହିଁ । ଶ୍ରୀକ୍ଷେତ୍ରରେ ଥିବା ମା କାଳିକାଦେବୀ ସାହି ସ୍ଥିତ ମା ଦକ୍ଷିଣକାଳୀ ମନ୍ଦିର, ଖୁଂଟିଆ ସାହି ସ୍ଥିତ ମା ଗଛକାଳୀ ପୀଠ,ବାଲିସାହି ସ୍ଥିତ ମା ବାଟକାଳୀ,ଶ୍ୟାମାକାଳୀ ଲେନ ସ୍ଥିତ ମା ଶ୍ୟାମାକାଳୀ ମନ୍ଦିର ଏବେ ଚଳଚଞ୍ଛଳ ହୋଇଉଠିଛି । ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଛିଥିବାବେଳେ ଚନ୍ଦନପୁର ସ୍ଥିତ ବୀରନରସିଂହପୁର ମା ଦକ୍ଷିଣକାଳୀ ମନ୍ଦିରର ଏବେ ମା ଦକ୍ଷିଣକାଳୀଙ୍କ ମୃର୍ଣ୍ଣୟୀ ମୂର୍ତି ପ୍ରସ୍ୁତି କାର୍ଯ୍ୟରେ ନିମଗ୍ନ ଅଛନ୍ତି କାରିଗର । ମାଙ୍କ ବିଧିବିଧାନ ଓ ପୂଜା ସମ୍ପର୍କରେ ମାଙ୍କ ମୁଖ୍ୟ ପୂଜକ ଗିରିଶଚନ୍ଦ୍ର ବାନାର୍ଜୀ (ତାରୁଭାଇନା) କୁହନ୍ତି ମାଙ୍କ ପୂଜାବିଧି ସ୍ୱତନ୍ତ୍ର । ଭକ୍ତି ଭାବରେ ମା ବନ୍ଧା । ବିଶ୍ୱାସ ଓ ଧର୍ଯ୍ୟ ରଖି ମାଙ୍କ ପୂଜାକଲେ ମା ସନ୍ତୁଷ୍ଟ ହୁଅନ୍ତି । କାଳୀପୂଜା ପାଇଁ ଆ…ଖା… ଯା…. ନୀତିରେ ପାଳିତ ହୁଏ । ମାଙ୍କ ଆବାହନ,ଭୋଗ ଓ ବିର୍ସଜନ ହୋଇ ମାଙ୍କ ମୃଣ୍ଣୟୀ ମୂର୍ତି ଭାର୍ଗବୀ ନଦୀରେ ବିସର୍ଜିତ ହୁଅନ୍ତି । ଭଗବାନପୁର ମଶାଣିରୁ ମୂର୍ତି ପାଇଁ ମାଟି ଅନୁକୂଳ ହୋଇଥିଲା । ଏବେ ମୂର୍ତି କାମ ଶେଷ ପର୍ଯ୍ୟାୟରେ । ୨୪ ତାରିଖ ରାତିରେ ମାଙ୍କ ପୂଜାର୍ଚ୍ଚନା ଓ ଜୀବଦାନ ପରେ ୨୫ରେ ସୂର୍ଯ୍ୟପରାଭ ଯୋଗୁ ଦେବନୀତି ନିଷେଧ ରହିଥିବା ଶ୍ରୀମନ୍ଦିର ସ୍ୱୀକୃତ ପାଞ୍ଜିରେ ଦର୍ଶା ଯାଇଛି । ସେହି ଅନୁସାରେ ୨୫ ତାରିଖରେ ଭକ୍ତ ଦର୍ଶନ କରିବେ ୨୬ ତାରିଖ ସକାଳୁ ମାଙ୍କ ମହାସ୍ନାନ ପରେ ଦେବ ନୀତି କରାଯାଇ ମାଙ୍କ ବିସର୍ଜନ ପର୍ବ ଅନୁଷ୍ଠିତ ହେବ ।
