ଆସୁଛି କାଳୀପୂଜା ପାଇଁ ପୀଠ ଚଳଚଞ୍ଛଳ ମୃର୍ଣ୍ଣୟୀ ମୂର୍ତି ପ୍ରସ୍ତୁତି ଶେଷ ପର୍ଯ୍ୟାୟେରେ
ପୁରୀ : ଚଳିତମାସ ୨୫ ତାରିଖରେ ପବିତ୍ର ଦୀପାବଳୀ ଅମାବାସ୍ୟା ଓ କାଳୀପୂଜା ଅନୁଷ୍ଠିତ ହେବ । ସେହିଦିନ ସୂର୍ଯ୍ୟପରାଗ ପଡ଼ୁଥିବାରୁ ଦେବନୀତି ୨୪ ତାରିଖରୁ ଆରମ୍ଭ ହେବ । ଭକ୍ତ ଓ ଶ୍ରଦ୍ଧାଳୁମାନେ ୨୫ ତାରିଖରେ ବିଭିନ୍ନ ପୀଠରେ ମା କାଳୀଙ୍କୁ ବାହାରୁ ଥାଇ ଦର୍ଶନ କରିପାରିବେ । ପୁରୀ ସହର ଥିବା ଦକ୍ଷିଣକାଳୀ ପୀଠ, ଗଛକାଳୀ ପୀଠ, ବାଟକାଳୀ, ଶ୍ୟାମାକାଳୀ ସମେତ ସାକ୍ଷୀଗୋପାଳ ନିକଟ ବୀର ଗୋବିନ୍ଦପୁର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର, ସମଯାଜପୁରର ଉଗ୍ରତରା ଓ ବୀରପ୍ରତାପପୁରର ମା କାମରୂପା ପୀଠରେ ମୃର୍ଣ୍ଣୟୀ ମୂର୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଛିଛି । ଏଥିପାଇଁ ମୂର୍ତି କାରିଗର ଅକ୍ଲାନ୍ତ ପରିଶ୍ରମ କରି ବିଧି ବିଧାନ ଅନୁଯାୟୀ ନିର୍ମାଣ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ପରାଗ ଲାଗୁଥିବାରୁ ସ୍ୱତନ୍ତ୍ର ନୀତି କିପରି ଠିକ୍ ସମୟରେ ସମାହିତ ହେବ ସେଥିପାଇଁ ପ୍ରଶାସନ ସଜାଗ ରହିଛି । ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀ- ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀ ମନ୍ଦିରରେ କାଳୀପୂଜା ପାଇଁ ଜୋରସୋରରେ କାର୍ଯ୍ୟ ଆଗେଇ ଚାଲିଛି । ମୁଖ୍ୟ ମନ୍ଦିର ସହ ଚତଃପାଶ୍ୱର୍ ରଙ୍ଗକାର୍ଯ୍ୟ ଚାଲିଛି । ମୂର୍ତି ନିର୍ମାଣରେ ନିମଗ୍ନ ଅଛନ୍ତି କାରିଗର । ରାସ୍ତା ମରାମତି ,ପାନୀୟଜଳ,ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଓ ସଫେଇ କାର୍ଯ୍ୟ ଚାଲୁ ରହିଛି । ୨୪ ତାରିଖ ବିଳମ୍ବିତ ରାତିରେ ମାଙ୍କ ପୂଜା କରାଯିବ । ଗ୍ରହଣ ମୋକ୍ଷ ପରେ ସଂଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ । ପରେ ଭାର୍ଗବୀ କାଳୀଘାଟରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ସମଯାଜପୁର ମା ଉଗ୍ରତାର ପୀଠ – ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀଙ୍କ ମଝିଆ ଭଉଣୀ ସମଯାଜପୁରର ମା ଉଗ୍ରତାର ପୀଠରେ କାଳୀପୂଜା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଛିଛି । ବିଧି ମୁତାବକ ମୁର୍ତି କାରିଗର କୁମାର ପୂର୍ଣ୍ଣମୀ ପର ମାଟି ଅନୁକୂଳ କରାଯାଇ ମୂର୍ତି କାରିଗର ନିର୍ମାଣ କାର୍ଯ୍ୟରେ ନିମଗ୍ନ ଅଛନ୍ତି । ମନ୍ଦିରର ପୂଜକ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ବୀରପ୍ରତାପପୁର ମା କାମରୂପା ପୀଠ- ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀଙ୍କ ବଡ଼ ଭଉଣୀ ବୀରପ୍ରତାପୁର ମା କାମରୂପା ମନ୍ଦିର ଏବେ ଚଳଚଞ୍ଛଳ ହୋଇ ଉଠିଛି । ମା କରମଙ୍ଗା ଗଛମୂଳେ ବିରାଜମାନ କରିଥିବା ବେଳେ ପଟିଦିଅଁ ପୂଜା ପାଉଛନ୍ତି । ମୃର୍ଣ୍ଣମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଛିଛି । ଗ୍ରାମ୍ୟକୋଠ ପକ୍ଷରୁ ମାଙ୍କ ପୂଜା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟରେ ସହଯୋଗ କରୁଛନ୍ତି । ତିନି ଭଉଣୀଙ୍କ ଭସାଣି ଉତ୍ସବ ଚନ୍ଦନପୁର ଭାର୍ଗବୀ ନଦୀ କାଳୀପୀଠରେ ଅନୁଷ୍ଠିତ ହେବ । ତିନି ଠାକୁରାଣୀଙ୍କ ଭେଟ ଆଳତି ବୀରପ୍ରତାପପୁର ଛକରେ ଅନୁଷ୍ଠିତ ହେବ । ଦୀପାବଳି ଅମାବାସ୍ୟା ଅବସରରେ ତିନି ପୀଠରେ ମୃର୍ଣ୍ଣୟୀ ମୂର୍ତି ପୂଜା ବିଧିମୁତାବକ ଅନୁଷ୍ଠିତ ହେବ । ମାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ।
