ଧାମନଗର ଉପନିର୍ବାଚନ : ଡ଼ାକ ଭୋଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ଘରକୁ ଘର ବୁଲି ମତଦାନ ସଂଗ୍ରହ ପାଇଁ ୨୦ଟି ଟିମ୍ ନିୟୋଜିତ ଅକ୍ଟୋବର ୨୨ ଓ ୨୩ରେ ଡ଼ାକ ଭେଟ, ୫୦୫ ଜଣ ଭୋଟର ଡ଼ାକ ଭୋଟ ପାଇଁ ଦେଇଛନ୍ତି ସ୍ୱୀକୃତି
ଭଦ୍ରକ : ଧାମନଗର ଉପନିର୍ବାଚନ ମତଦାନ ପାଇଁ ବୁଥ୍କୁ ଯିବା ପାଇଁ ଅସମର୍ଥ ଥିବା ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଡ଼ାକ ଭୋଟ ବ୍ୟବସ୍ଥାରେ ମତଦାନ ସଂଗ୍ରହ ପାଇଁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଗତକାଲି ତା ୧୯-୧୦-୨୨ରିଖ ସନ୍ଧ୍ୟାରେ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର, ଡ଼ାକ ଭୋଟ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ମନୋଜ ପାତ୍ର, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ, ନିର୍ବାଚନ କସ୍ତୁରୀବାଳା ଜେନା ପ୍ରମୁଖ ଯୋଗ ଦେଇଥିଲେ । ଡ଼ାକ ଭୋଟ ବ୍ୟବସ୍ଥାରେ ମତଦାନ କରିବା ପାଇଁ ୧୨ ଡ଼ି. ଫର୍ମରେ ଆଗୁଆ ସ୍ୱୀକୃତି ଦେଇଥିବା ଭୋଟରମାନଙ୍କ ଘରକୁ ଯାଇ ପୋଲିଂ ଦଳ ମତଦାନ ସଂଗ୍ରହ କରିବା ପ୍ରକ୍ରିୟା ସମ୍ବନ୍ଧରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହିତ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ପ୍ରଦର୍ଶନ କରାଯାଇଥିଲା । ସୂଚନାଯୋଗ୍ୟ କି ପ୍ରତି ପୋଲିଂ ଦଳରେ ଜଣେ ପ୍ରିଜାଇଡ଼ିଂ ଅଧିକାରୀ, ଜଣେ ପୋଲିଂ ଅଧିକାରୀ, ଜଣେ ମାଇକ୍ରୋ ଅବଜରଭର ଓ ଜଣେ ପୋଲିସ୍, ରହିବାର ବ୍ୟବସ୍ଥା ଅଛି, ସମସ୍ତ କାର୍ଯ୍ୟକ୍ରମର ଭିଡ଼ଓଗ୍ରାଫି କରାଯିବ । ପୂର୍ବ ପ୍ରସ୍ତୁତିରେ ରୁଟ୍ ଚାର୍ଟ ଅନୁଯାୟୀ ବି.ଏଲ୍.ଓ. ମତଦାତାଙ୍କ ଘର ଦେଖାଇବେ । ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଏହି ଭୋଟ ଗ୍ରହଣ କରାଯିବ । ରାଜନୈତିକଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ତାଙ୍କ ଏଜେଣ୍ଟ ପଠାଇବା ପାଇଁ ଏହି ମତଦାନ ନେଇ ଦିନ, ସମୟ , ରୁଟଚାର୍ଟ ଆଦି ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଯିବ । ଅକ୍ଟୋବର ୨୨ ଓ ୨୩ ଦୁଇ ଦିନରେ ଏହି ଡ଼ାକ ଭୋଟ ବ୍ୟବସ୍ଥାରେ ମତଦାନ ସଂଗ୍ରହ କରାଯିବ । ଜଣେ ମତଦାତା ପ୍ରଥମ ଥର ଉପଲବ୍ଧ ନହେଲେ ଦ୍ୱିତୀୟ ଦିନରେ ଆଉ ଥରେ ସୁଯୋଗ ଦିଆଯିବ । ଏହି ଡ଼ାକ ଭୋଟ ବ୍ୟବସ୍ଥାରେ ମତଦାତା ଇଭିଏମ୍ ନୁହେଁ ବାଲାଟ୍ ପେପରରେ ମୋହର ନୁହେଁ କଲମ ଦ୍ୱାରା ନିଜ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନରେ ଚିହ୍ନ ଦେଇ ମତଦାନ କରିବେ । ଏଥିପାଇଁ ମତଦାତାଙ୍କ ଘର ଭିତରେ ଭୋଟିଂ କମ୍ପାଟ୍ମେଣ୍ଟ ପ୍ରସ୍ତୁତ କରାଯିବ । ଏହି ମତଦାନ ସଂଗ୍ରହ ପାଇଁ ୨୨ ତାରିଖ ସକାଳ ୭ଟାରେ ପୋଲିଂ ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭୋଟ ବାକ୍ସ ଓ ଅନ୍ୟାନ୍ୟ ଉପକରଣ ନେଇ ବାହାରିବେ । ପ୍ରତିଦିନ ଭୋଟ ସଂଗ୍ରହ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରିବେ ଓ ଟ୍ରେଜେରୀରେ ଭୋଟ ସବୁ ଗଚ୍ଛିତ ରହିବ । ଧାମନଗର ଉପନିର୍ବାଚନ ପାଇଁ ୫୦୫ ଜଣ ଭୋଟର ଏହି ବ୍ୟବସ୍ଥାରେ ଡ଼ାକଭୋଟ ଦେବା ପାଇଁ ଆଗୁଆ ସ୍ୱୀକୃତି ପ୍ରଦାନ କରିଛନ୍ତି ।
