ବିଭିନ୍ନ ସମସ୍ୟା ନେଇ ଖୁଚୁରା ବିକ୍ରେତା ସଂଘର ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ
କଟକ : କଟକ ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ପଡିକାର୍ଡଧାରୀ ଗହମ ନ ପାଇ ଖୁଚୁରା ବିକ୍ରେତାମାନଙ୍କୁ ଦୋଷାରୋପ କରୁଥିବା ବେଳେ ଗତ ମେ, ଜୁନ ମାସରୁ କଟକ ମହାନଗର ନିଗମାଂଚଳର ଖୁଚୁରା ବିକ୍ରେତାମାନେ ପଡିକାର୍ଡଧାରୀଙ୍କୁ ବଣ୍ଟନ ପାଇଁ ଟଙ୍କା ଜମା କରିଥିଲେ ମଧ୍ୟ ଅଦ୍ୟାବଧି ଗହମ ପାଇପାରିନାହାନ୍ତି । ଗତ ଅଗଷ୍ଟ ଓ ସେପ୍ଟମ୍ବର ମାସର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବାବଦକୁ ସର୍ବମୋଟ ୬୩୯୯ କ୍ୱିଣ୍ଟାଲ ୮୩ କିଲୋ ଗହମ ଅର୍ଥାତ୍ ୧ ଲକ୍ଷ ୨୭ ହଜାର ୯୨୬ ଜଣ ପଡିକାର୍ଡ ଧାରୀମାନେ ତାଙ୍କର ନିର୍ଦ୍ଧାରିତ ମୁଣ୍ଡପିଛା ୫ କିଲୋ କରି ଗହମ ଏଯାଏଁ ପାଇନାହାନ୍ତି । ଖୁଚୁରା ବିକ୍ରେତାମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ପରିବହନ ଠିକାଦାରମାନେ ଚିରା ଫଟା ବସ୍ତାରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ଦେଉଛନ୍ତି । ସେହିପରି କେନ୍ଦ୍ର ସରକାର ଗତ ଏପ୍ରିଲ ମାସରୁ ସାମଗ୍ରୀ ବଣ୍ଟନ ବାବଦ କ୍ୱିଣ୍ଟାଲ ପିଛା ଅଧିକା ୨୦ ଟଙ୍କା ବୃଦ୍ଧି କରିଥିଲେ ମଧ୍ୟ ଖୁଚୁରା ବିକ୍ରେତାମାନଙ୍କୁ ତାହା ଦିଆଯାଉନାହିଁ । ଏ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଯୋଗାଣ ବିଭାଗର ଅଧିକାରୀମାନେ କୈାଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଏହିସବୁ ସମସ୍ୟାର ସମାଧାନ ପାଇଁ ୫ ଦଫା ସମ୍ବଳିତ ଦାବି ପତ୍ର ଆସୋସିଏସନର କାର୍ଯ୍ୟକାରୀ ସଭାପତି ସୟଦ ଏକ୍ରାମ ହୁସେନଙ୍କ ନେତୃତ୍ୱରେ ପୀତବାସ ଜେଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ସଂପାଦକ ସୁଲତାନ ଖାଁ, ସହ ସଂପାଦକ ବିଜୟ କୁମାର ସାହୁ, ପ୍ରେମକୁମାର ସେନ, ଦାଶରଥି ସେନାପତି, ବିଜୟ ବୈଶାଖ, ଚନ୍ଦ୍ରମଣି ମହାରଣା, ଅଭିମନ୍ୟୁ ନାୟକ, ନଗେନ କୁମାର ସାହୁ, ଶିବ ସେଠୀ, ରାକେଶ ସ୍ୱାଇଁ, ରବୀନ୍ଦ୍ର କୁମାର ଦାସ, ବୀରକିଶୋର ବେହେରା, ଉମାକାନ୍ତ ସାହୁ, ଶମ୍ଭୁନାଥ ଦେ, ଲକ୍ଷ୍ମୀଧର ଦାସ ଓ ବିଜନ କୁମାର ସାହୁଙ୍କ ସମେତ ଶତାଧିକ ଖୁଚୁରା ବିକ୍ରେତା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।
