୩୦ ଦିନରେ ଫାର୍ମାସିଷ୍ଟମାନଙ୍କ ଆନ୍ଦୋଳନ
କଟକ : ଓଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଚଳିତ ମାସ ୧ ତାରିଖଠାରୁ ଚାଲିଆସୁଥିବା ଆନ୍ଦୋଳନ ୩୦ ଦିନରେ ପହଂଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟମାନେ କାର୍ଯ୍ୟରେ ଉପସ୍ଥିତ ରହି ଔଷଧ ସଂରକ୍ଷଣ ଓ ବିତରଣ କାର୍ଯ୍ୟ ସହ ଚିକିତ୍ସକ ନଥିବା ସ୍ଥାନରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରୁଛନ୍ତି । ତେବେ ଫାର୍ମାସିଷ୍ଟମାନଙ୍କ ଦ୍ୱାରା ରିପୋର୍ଟ ରିଟଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ହେଲେ କିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ୟ ପାରାମେଡିକାଲ କର୍ମଚାରୀ ମନକୁ ମନ ତଥ୍ୟ ପ୍ରଦାନ କରି ରିପୋର୍ଟ ରିଟଣ୍ଣ କାର୍ଯ୍ୟ କରୁଛନ୍ତି, ତାହା କୈାଣସି ବାସ୍ତବ ତଥ୍ୟ ସମ୍ବଳିତ ନୁହେଁ । ସେଥିପାଇଁ ଫାର୍ମାସିଷ୍ଟମାନେ ଆଦୈା ଦାୟୀ ନୁହଁନ୍ତି । ଯେହେତୁ ଚଳିତ ମାସ ୧ ତାରିଖରୁ କୈାଣସି ରିପୋର୍ଟ ଦେବା କାମରେ ସଂପୃକ୍ତ ନୁହଁନ୍ତି, ତେଣୁ ଭବିଷ୍ୟତରେ ସେ ସଂପର୍କୀୟ କୈାଣସି ଉତ୍ତର ଦେବାକୁ ମଧ୍ୟ ବାଧ୍ୟ ହେବେ ନାହିଁ । ଏହା ରାଜ୍ୟ ସଂଘର କର୍ମକର୍ତ୍ତା ଏବଂ ଜିଲ୍ଲା ଶାଖାର କର୍ମକର୍ତ୍ତାମାନେ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଜଣାଇଦେଇଛନ୍ତି । ସଂଘ ଦ୍ୱାରା କୈାଣସି ମିଳିତ ଆଲୋଚନା ବା ନିଷ୍ପତି ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ଏବଂ ଭବିଷ୍ୟତରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ କାର୍ଯ୍ୟକ୍ରମ ଚାଲିବ ବୋଲି ରାଜ୍ୟ ସଭାପତି ଚିନ୍ମୟ କୁମାର ସିହ୍ନା, ଉପସଭାପତି ସୁଧାଂଶୁ ଶେଖର ପଣ୍ଡା, ସଂପାଦକ ଶ୍ରୀକାନ୍ତ ଜେନା ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି ।
