ଏ.ଆଇ.ଡି.ଏସ୍.ଓ ପକ୍ଷରୁ ସହିଦ୍ ଭଗତ ସିଂଙ୍କ ଜୟନ୍ତୀ ପାଳିତ
କଟକ : ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ଯୋଦ୍ଧା ସହିଦ-ଏ-ଆଜମ୍ ଭଗତ ସିଂଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏ.ଆଇ.ଡି.ଏସ୍.ଓ ଉଦ୍ୟୋଗରେ ବିଦ୍ୟାସାଗରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏ.ଆଇ.ଡି.ଏସ୍.ଓର କଟକ ଜିଲ୍ଲା ସଂପାଦକ ତରୁଣସେନ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ଛାତ୍ରନେତା ସୁବ୍ରତ ଦାସ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ରନେତା, ଶଶାଙ୍କ ଶେଖର ଭୋଇ, କିଷାନ ମିଶ୍ର, ପ୍ରଭାସିନୀ ଦେହୁରୀ, ଅରୋଶିଖା ଓଝା, ସୌମ୍ୟ ସ୍ୱରୁପ ସେଠୀ, ସ୍ମିତାଞ୍ଜଳି ବସ୍ତିଆ, ଭାଗ୍ୟଶ୍ରୀ ଭୋଇ, ପ୍ରବୀଣ ସାହୁ, ରାକେଶ ମଲ୍ଲିକ ଏବଂ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରନେତା ଆଦ୍ୟାଶା ମିଶ୍ର, ରଜତ ପ୍ରଧାନ, ଦୀପକ ପୁର୍ତ୍ତୀ, ସୂର୍ଯ୍ୟପ୍ରକାଶ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବ୍ରିଟିଶ ସାମ୍ରାଜ୍ୟବାଦର ଅବସାନ ପରେ ଏ ଦେଶର ଏକଚାଟିଆ ପୁଞ୍ଜିପତିଶ୍ରେଣୀ କ୍ଷମତାରେ ଅଧିଷ୍ଠିତ ହୋଇ ତାହାର ଶାସନ ଓ ଶୋଷଣକୁ ଦେଶର କୋଟି କୋଟି ସାଧାରଣ ଜନତାଙ୍କ ଉପରେ ଲଦି ଦେଇଛି । ଶିକ୍ଷାକୁ ଆନ୍ତର୍ଜାତିକ ବଜାରର ଏକ ପଣ୍ୟରେ ରୂପାନ୍ତରିତ କରିବା ପାଇଁ ହୀନ ଷଡଯନ୍ତ୍ର ଚାଲିଛି । ଗୋଟିଏ ଦିଗରେ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ, କେନ୍ଦ୍ରୀକରଣ ଓ ଧନ୍ଦାମୁଖୀକରଣ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବିଭିନ୍ନ ଶିକ୍ଷାମାରଣ ନୀତି ସହ ପ୍ରଣିତ ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଚାଲିଛନ୍ତି । କହିବା ବାହୁଲ୍ୟ ସ୍ୱାଧୀନୋତ୍ତର ଭାରତବର୍ଷର କୈାଣସି ସରକାର ଭଗତ ସିଂହଙ୍କ ଜୀବନ ସଂଗ୍ରାମକୁ ଜନସଧାରଣଙ୍କ ନିକଟକୁ ନେଇ ଯିବା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହିଭଳି ପରିସ୍ଥିତିରେ ସହିଦ ଭଗତ ସିଂଙ୍କ ଜୀବନ ସଂଗ୍ରାମରୁ ଶିକ୍ଷା ନେଇ ନିଜ ଜୀବନକୁ ଗଢି ତୋଳି ଆଗାମୀ ଦିନରେ ବିଜ୍ଞାନସମ୍ମତ-ଧର୍ମନିରପେକ୍ଷ-ଗଣତାନ୍ତ୍ରିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଦାବିରେ ନିଜର ଭୂମିକା ପାଳନ କରିପାରିଲେ ହିଁ ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରାଯାଇପାରିବ ବୋଲି ମୁଖ୍ୟବକ୍ତା ତାଙ୍କ ଆଲୋଚନାରେ କହିଥିଲେ ।
