ଅପହୃତା ଶିଶୁ ଉଦ୍ଧାର, ମହିଳା ଗିରଫ
କଟକ : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବଣିଆସାହିର ରବୀନ୍ଦ୍ର କୁମାର ସାହୁଙ୍କ ୩ ବର୍ଷର ଶିଶୁକନ୍ୟାକୁ ଅପହରଣ କରି ନେଇଥିବା ଅଭିଯୋଗରେ ଆଜି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଗଡଗଡିଆ ମନ୍ଦିର ନିକଟରେ ରହୁଥିବା କୁନି ମୁଣ୍ଡାଙ୍କୁ ଗିରଫ କରିବା ସହିତ ଅପହୃତା ଶିଶୁକନ୍ୟା ପୁଜାରାଣୀ ସାହୁକୁ ଉଦ୍ଧାର କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବୀନ୍ଦ୍ର ତାଙ୍କ ପରିବାର ସହତ ବାଲିଯାତ୍ରା ତଳପଡିଆରେ ଏକ ପଲିଥିନ ତମ୍ବୁରେ ରହୁଥିବା ବେଳେ ଗତ କାଲି ତାଙ୍କ ଝିଅ ନିଖୋଜ ହୋଇଯାଇଥିଲା । ଏସଂପର୍କରେ ସେ ଥାନାରେ ଅଭିଯୋଗ କରିବା ପରେ କେସ ନଂ ୧୩୫/୨୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ତଦନ୍ତକାରୀ ଅଧିକାରୀ ଶିଶୁକନ୍ୟାକୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଜାଲ ବିଛାଇ ମୟୁରଭଞ୍ଜର ଢେଙ୍କିକୋଟ ଥାନା ଅନ୍ତର୍ଗତ ଚୁନାବାଡିର କୁନିକୁ ଗିରଫ କରିବା ସହ ତା ନିକଟରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ ।
