ଜିଆର୍ଏସ୍ଙ୍କୁ ବଦଳି ପାଇଁ ଜିଲାପାଳଙ୍କର କ୍ଷମତା ରହିଛି : ହାଇକୋର୍ଟ
କଟକ : ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍)ଙ୍କ ବଦଳି ସମ୍ପର୍କିତ ନିୟମାବଳୀ ଓ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ଦାୟର ହୋଇଥିବା ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏଥିସହିତ କେତେକ ଜିଆର୍ଏସ୍ଙ୍କ ବଦଳି ପ୍ରସଙ୍ଗରେ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶକୁ ବି ଉଠାଇ ଦେଇଛନ୍ତି। ସେହିପରି ଏନେଇ କଇଛନ୍ତି ଯେ, ଜିଆର୍ଏସ୍ଙ୍କ ବଦଳି ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇପାରିବେ। ଜିଆର୍ଏସ୍ଙ୍କୁ ଜିଲା ଭିତରେ ଗୋଟିଏ ଗ୍ରାମପଞ୍ଚାୟତରୁ ଅନ୍ୟ ଗ୍ରାମପଞ୍ଚାୟତକୁ ବଦଳି ପାଇଁ ଜିଲାପାଳଙ୍କର କ୍ଷମତା ରହିଛି। ଜିଲାପାଳ ଜାରି କରିଥିବା ଜିଆର୍ଏସ୍ଙ୍କ ବଦଳି ନିର୍ଦ୍ଦେଶ ଆଇନ ଉଲ୍ଲଂଘନ କରୁନାହିଁ। ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।
ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା , ମନରେଗା ଆଇନର ଧାରା-୧୮ ଅନୁସାରେ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ଜିଆର୍ଏସ୍ଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇପାରିବେ। ମନରେଗା କାର୍ଯ୍ୟ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଜିଆର୍ଏସ୍ ସହଯୋଗ କରୁଛନ୍ତି। ମନରେଗା ଆଇନ ଅନୁସାରେ ଜିଆର୍ଏସ୍ଙ୍କ ନିୟୋଜନ କରାଯାଉଥିବାବେଳେ ଏହି ପ୍ରସଙ୍ଗ ଗ୍ରାମ ପଞ୍ଚାୟତ ଆଇନ ଅନ୍ତର୍ଗତ ବୋଲି ଭ୍ରାନ୍ତ ଧାରଣା ରହିଛି। ୨୦୧୮, ଜୁନ୍ ୨ରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଥିଲେ ଯେ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ସିଇଓ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲା ଭିତରେ ଜିଆର୍ଏସ୍ଙ୍କ ବଦଳି କରିପାରିବେ। ଜିଲ୍ଲାପାଳଙ୍କୁ ଏପରି କ୍ଷମତା ଗ୍ରାମ ପଞ୍ଚାୟତ ଆଇନର ଉଲ୍ଲଂଘନ କରୁନାହିଁ।
ସୂଚନା ଯେ, ଜିଆର୍ଏସ୍ଙ୍କ ବଦଳି ହୋଇପାରିବ ବୋଲି ସରକାର ନିଷ୍ପତ୍ତି ନେଇ ଘୋଷଣା କରିଥିଲେ। ଜିଆର୍ଏସ୍ଙ୍କ ପ୍ରସଂଗରେ ସରକାର ସରକାର ୨୦୧୮, ଏପ୍ରିଲ ୬ ଓ ଜୁନ ୨ରେ ସାନି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ କୌଣସି ପଞ୍ଚାତୟରେ ୫ ବର୍ଷ ରହି ସାରିଥିବା ଜିଆର୍ଏସ୍ଙ୍କୁ ବଦଳି କରିବା ପାଇଁ ୨୦୧୯, ଅକ୍ଟୋବର ୧୭ରେ ସରକାର ଚିଠି କରିଥିଲେ। ରାଜ୍ୟରେ ପ୍ରାୟ ୬ ହଜାରରୁ ଅଧିକ ଜିଆର୍ଏସ୍ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ହଠାତ୍ ବଦଳି କରାଯାଇଥିଲା। ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ସହିତ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
