ଗଣ୍ଡରପୁର ଅଣ୍ଡରପାସ୍ ପାଇଁ ସାଂସଦଙ୍କ ନିକଟରେ ଦାବି
କଟକ : ଗଣ୍ଡରପୁର ଅଣ୍ଡରପାସ୍ କ୍ରିୟାନ୍ୱୟନ କମିଟିର ଏକ ପ୍ରତିନିଧିଦଳ କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କୁ ସାକ୍ଷାତ କରି ଗଣ୍ଡରପୁର ନିକଟରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଦାବି କରିଛନ୍ତି । ଗଣ୍ଡରପୁର, ନୂଆସାହି, ପୁରୁଣାସାହି, ଅପର୍ଣ୍ଣା ନଗର, ମହାନଦୀ ବିହାର, କୋରପୋଖରୀ ଅଂଚଳର ୨୫୦୦୦ ରୁ ଉର୍ଦ୍ଧ୍ୱ ଲୋକ, ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ୫୦୦୦ ଛାତ୍ରଛାତ୍ରୀ ଓ ଜେକେବିକେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୈନିକ କିପରି ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ସାଂସଦକୁ ବୁଝାଇ ଥିଲେ । ପଥଚାରୀମାନେ ଜୀବନକୁ ପାଣି ଛଡାଇ ଜାତୀୟ ରାଜପଥ ପାରି ହେଉଥିଲାବେଳେ ଦୁଇ ଚକିଆ ଓ ଚାରିଚକିଆ ଯାନ ଦୁଇକିଲୋମିଟର ବାଟ ବୁଲି ଗଣ୍ଡରପୁରକୁ ପ୍ରବେଶ କରୁଥିବା ପ୍ରତିନିଧି ଦଳ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାର କଟକ ରେଳ ଷ୍ଟେସନକୁ ଜାତୀୟ ରାଜପଥ ସହିତ ସଂଯୋଗ କରିବାର ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବାରୁ କେବଳ ସ୍ଥାନୀୟ ଲୋକ ନୁହଁନ୍ତି ବରଂ ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ଗ୍ରାମୀଣ କଟକର ହଜାର ହଜାର ଲୋକ ଏହି ରେଳ ଷ୍ଟେସନକୁ ଯିବାପାଇଁ ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ବର୍ତ୍ତମାନର ଅସୁବିଧା ସହିତ ଭବିଷ୍ୟତର ଅସୁବିଧାକୁ ଆଖିରେ ରଖି ଦୂରଦୃଷ୍ଟି ସଂପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ ପାଇଁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ସାଂସଦ ମହୋଦୟ ଅସୁବିଧାକୁ ହୃଦୟଙ୍ଗମ କରି ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟଙ୍କୁ ତୁରନ୍ତ ଆସି (ଟେକ୍ନିକାଲ୍ ଫିଜିବିଲିଟି ଷ୍ଟଡି)ବୈଷୟିକ ସମ୍ଭାବ୍ୟତାକୁ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଅମୀୟ ଭୂଷଣ ବିଶ୍ୱାଳ, ଲୋକନାଥ ବେହେରା, ଇଂ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଇଂ ଅନ୍ୱୟ ଅଭିନବ, ଶୈଳେନ୍ଦ୍ର ସ୍ୱାଇଁ, ହେମନ୍ତ ନାୟକ, ଆଇନଜୀବୀ ଆକାଶ ଭୂୟାଁ, ପୂର୍ଣ୍ଣଚନ୍ଦ୍ର ଭୋଳ, ଶରତ ଚନ୍ଦ୍ର ଗୋଚ୍ଛି, ମଦନ କୁମାର ଜେନା ସାମିଲ ହୋଇଥିଲେ । ପୂର୍ବତନ କର୍ପୋରେଟର ତଥା ସାଂସଦଙ୍କ ପ୍ରତିନିଧି ଚିରଞ୍ଜୟ ସାହୁ ଆଲୋଚନାକୁ ସଂଯୋଜିତ କରିଥିଲେ ।
