ତାଳଦଣ୍ଡା କେନାଲର ୩ୟ ପର୍ଯ୍ୟାୟ ନବୀକରଣ ପାଇଁ ପ୍ରସ୍ତୁତି ଖର୍ଚ୍ଚ ହେବ ୨୨ କୋଟି ଟଙ୍କା
କଟକ : ମହାନଦୀର ଯୋବ୍ରାଠାରୁ ବାହାରିଥିବା ତାଳଦଣ୍ଡା କେନାଲର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ କାର୍ଯ୍ୟ ଏବେ ଶେଷ ହୋଇଯାଇଥିଲେ ହେଁ ତୃତୀୟ ପର୍ଯ୍ୟାୟ ନବୀକରଣ କାମ ପାଇଁ ରାଜ୍ୟ ଜଳସଂପଦ ବିଭାଗ ତତ୍ପର ହୋଇଉଠିଛି । ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ପରାମର୍ଶ କ୍ରମେ କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କଟକ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଓ ଅଧିକ୍ଷଣ ଯନ୍ତ୍ରୀ ରାଜେଶ କୁମାର ମହାନ୍ତି ଜାତୀୟ ରାଜପଥରୁ ନୂଆବଜାର ପର୍ଯ୍ୟନ୍ତ ଯାଇଥିବା ଦେଢ କିଲୋମିଟର କେନାଲ ରାସ୍ତାକୁ ଅନୁଧ୍ୟାନ କରି ଜର୍ମାନ ଟେକ୍ନୋଲୋଜି ମାଧ୍ୟମରେ କିଭଳି କେନାଲର ଉଭୟ ପାଶ୍ୱର୍ ସୈାନ୍ଦ୍ୟର୍ଯ୍ୟକରଣ କରାଯିବ ସେଥିନେଇ ଏକ ଡିପିଆର(ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରିଛନ୍ତି । ପ୍ରାୟ ୨୨ କୋଟି ୬୦ ଲକ୍ଷ ବ୍ୟୟ ଅଟକଳରେ ପ୍ରସ୍ତୁତ ରିପୋର୍ଟ ଯଦି ରାଜ୍ୟ ସରକାରଙ୍କ ଦ୍ୱାରା ମଂଜୁର ହୁଏ ତେବେ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଜଳସଂପଦ ବିଭାଗର କେନାଲ ଲାଇନିଂ ଆଣ୍ଡ ସିଷ୍ଟମ୍ ରିହାବିଲେସନ ପ୍ରୋଗ୍ରାମ(ସିଏଲଏସଆରପି) ମାଧ୍ୟମରେ ଥିବା ଫଣ୍ଡକୁ ମଂଜୁର ଦିଆଯାଏ ତେବେ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଛି ।
