ବାଲିଆପାଳ ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା, ଲୋକଙ୍କ ଭିଡ଼
ବାଲିଆପାଳ : ବାଲିଆପାଳ ବ୍ଲକର ବାଲିଆପାଳ ବିଦ୍ୟୁତ୍ କାର୍ଯ୍ୟାଳୟରେ ଦୀର୍ଘ ଦିନ ପରେ ଶନିବାର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି । ଶନିବାର ପୂର୍ବାହ୍ନରେ ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀ କୁଦମାନସିଂ ଗ୍ରାମ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀକୁ ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଏକ ବିରାଟ ପଟୁଆରରେ ଯାଇ ଘଟ ଉତ୍ତୋଳନ କରିଥିଲେ । ପରେ ପୂଜା ମଣ୍ଡପର ଘଟ ସ୍ଥାପନ କରାଯାଇ ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଦୀର୍ଘଦିନ ପରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ପୂଜା ହୋଇଥିବାରୁ ବିଶ୍ୱକର୍ମା ପୂଜା ଦେଖିବା ପାଇଁ ସ୍ଥାନୀୟବାସିନ୍ଦାଙ୍କ ଭିଡ଼ ଲାଗିଥିଲା । ୪ଦିନ ଧରି ବାବା ବିଶ୍ୱକର୍ମାଙ୍କ ପୂଜା ଅର୍ଚ୍ଚନା ହୋଇ ବୁଧବାର ମୂର୍ତ୍ତି ବିସର୍ଜନ ହେବ ବୋଲି ବିଭାଗୀୟ ଅଧିକାରୀ ସଂଗ୍ରାମ କେଶରୀ ସାହୁ କହୁଛନ୍ତି ।
ମହାମାରୀ କରୋନାର କଟକଣା ହଟିବା ପରେ ବାଲିଆପାଳରେ ବିଭିନ୍ନ ଛକ, ପାରୁଲିଅ ଛକ ଅଟୋ ଷ୍ଟାଣ୍ଡ, ବାଲିଆପାଳ ଡ୍ରାଇଭର ମହାସଂଘ ସହିତ ବିଭିନ୍ନ ଅନୁଷ୍ଠାନରେ ବାବା ବିଶ୍ୱକର୍ମାଙ୍କ ପୂଜା ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଛକ ଛକରେ ବିଶାଳ ତୋରଣ ସହିତ ଆଲୋକ ସାଜସଜ୍ୟରେ ବାଲିଆପାଳ ଚଳଚଞ୍ଚଳ ହୋଇ ଉଠିଛି ।
