ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ : ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ
ଭଦ୍ରକ : ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଗତକାଲି ତା-୧୩.୯.୨୦୨୨ ରିଖ ସନ୍ଧ୍ୟାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନେଇ ଭଦ୍ରକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ଆବାହକ ଭାବେ ଏହି ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାରେ ତମାଖୁ ସେବନ ନିଷେଧ ଜନିତ ସଚେତନତା, ଜାତୀୟ ତମାଖୁ ନିୟନ୍ତ୍ରଣ ଯୋଜନାର କାର୍ଯ୍ୟକାରୀତା ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଜିଲ୍ଲାରେ ସମସ୍ତ ସ୍କୁଲ ତମାଖୁ ସେବନର ୍ଅପକାରୀତା ଓ ଅନ୍ୟାନ୍ୟ ନିଶା ସେବନ ଜନିତ ଖରାପ ଅଭ୍ୟାସ ବର୍ଜନ ପାଇଁ ବର୍ଷକୁ ଅତ୍ୟନ୍ତ ଗୋଟିଏ ସଚେତନତାମୂଳକ କ୍ଲାସ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଠାରୁ ୧୦୦ ଗଜ ଭିତରେ କୌଣସି ତମାଖୁଜାତୀୟ ଦ୍ରବ୍ୟ ବିକ୍ରି କରିବା ନିଷିଦ୍ଧ ରହିବ । ଚଳିତ ବର୍ଷ ୬୨ଟି ସ୍କୁଲ ଓ ୪ଟି କଲେଜକୁ ଆଦର୍ଶ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ହିସାବରେ ନିଆଯିବ । ସୂଚନା ମତେ ଗତ ୨୦୨୧-୨୨ ବର୍ଷ ପାଇଁ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭଦ୍ରକ ଓ ମହିଳା ମହାବିଦ୍ୟାଳୟ, ଭଦ୍ରକକୁ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଘୋଷଣା କରାଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ଦାସ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା, ତହସିଲଦାର ଭଦ୍ରକ ମଧୁସୁଦନ ନାୟକ, ପ୍ରମୁଖଙ୍କ ସହ ମ୍ୟୁନିସିପାଲିଟି ଭଦ୍ରକର ସ୍ୱାସ୍ଥ୍ୟ ଅଧିକାରୀ, ଏନ୍ ଏଚ୍ ଏମ୍ର ଡ଼ିପିଏମ୍ ଅଣ ସଂକ୍ରମକ ରୋଗର ସହକାରୀ ପରିଚାଳକ, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ, ଖାଦ୍ୟ ନିରାପତ୍ତା ଅଧିକାରୀ, ଡ୍ରଗ୍ ଇନିସିପେକ୍ଟର ପ୍ରଭୃତି ଏହି ବୈଠକର ଉପସ୍ଥିତ ଥିଲେ ।
