ଜିଲାପାଳଙ୍କ ଅଚାନକ ନୀଳଗିରି ଗସ୍ତ; ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ କୁଢ଼ କୁଢ଼ ଅଳିଆ ଆବାର୍ଜନା ଦେଖି ହେଲେ ଖପ୍ପା
ନୀଳଗିରି : ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଚାନକ ନୀଳଗିରି ଗସ୍ତ । କୌଣସି ସୂଚନା ନଦେଇ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ନୀଳଗିରି ଏନ୍ଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ ।
ପ୍ରଥମେ ନୀଳଗିରି ଏନ୍ଏସି ରାଡ଼ାର ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଓ ଓଦା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିସରରେ ପଡ଼ି ରହିଥିବା କୁଢ଼ କୁଢ଼ ଅଳିଆ ଆବାର୍ଜନା ପଡ଼ିଥିବା ଦେଖି ରାଗିବା ସହ ୬ ଘଣ୍ଟା ମଧ୍ୟରେ ପରିଷ୍କାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ । ପରେ ଏନ୍ଏସିର ନିର୍ମାଣଧୀନ ଭେଣ୍ଡିଂ ଜୋନ୍, ସ୍ମାର୍ଟ ପାର୍କ ସହ ଥାନା ପଡ଼ିଆରେ ନିର୍ମାଣଧୀନ ଷ୍ଟାଡ଼ିୟମର ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ପରେ ଆହାର କେନ୍ଦ୍ରର ଭଣ୍ଡାର ଗୃହ ଏବଂ ସେଠାକାର ସ୍ୱଚ୍ଛତା ବୁଲି ଦେଖିଥିଲେ । ଏହା ପରେ ନୀଳଗିରି ଉପଖଣ୍ଡ ମେଡ଼ିକାଲ ପରିସରକୁ ଯାଇ ନିରାମୟ ଓଷଧ କେନ୍ଦ୍ର ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ସମ୍ପୂର୍ଣ୍ଣ ହୋଇଥିବା ନୂତନ ମେଡ଼ିକାଲ ବିଲ୍ଡିଂ ଖୁବ୍ଶୀଘ୍ର ଉଦ୍ଘାଟନ ହେବାର ସୂଚନା ଦେଇଥିଲେ । ଶେଷରେ ବାଲିଗୋହିରି ରତ୍ନାକର ଟାଉନ୍ ହାଇସ୍କୁଲ ପରିସରରେ ରୂପାନ୍ତରଣ ଅଭିଯାନରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିବା ସହ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ନୀଳଗିରି ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ତହସିଲଦାର ଅଶେଷ ନାୟକ, ନୀଳଗିରି ମେଡିକାଲର ଏସ୍ଡିଏମ୍ଓ ସରୋଜିନୀ ପ୍ରଧାନ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ, ପୂର୍ତ୍ତ ବିଭାଗର ଏସ୍ଡିଓ ଦୁର୍ଗାଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ନବଘନ ମାରାଣ୍ଡି, ଅନୁସୂଚିତ ଜାତିର ନୀଳଗିରି ସଭାପତି ଶରତ କୁମାର ଦାସ, କ୍ଷୁଦ୍ର ଜଳସେଚନ ବିଭାଗର ଏସ୍ଡିଓ ନିମାଇ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
