ପଥର ଚୋରା ଚାଲାଣ ବେଳେ ୬ ଡମ୍ପର ଜବତ; ଲକ୍ଷ ୮ହଜାର ଟଙ୍କା ଜରିମାନା ଆଦାୟ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ବାଟଗ୍ରାମ ପୋଲ ଠାରେ ପଶ୍ଚିମବଙ୍ଗକୁ ଚୋରାରେ ଚାଲାଣ ହେଉଥିବା ୬ଟି ପଥର ବୋଝେଇ ଡମ୍ପରକୁ ଭୋଗରାଇ ତହସିଲଦାର ଜବତ କରିଛନ୍ତି । ଏହି ଡମ୍ପରଗୁଡ଼ିକରେ କାଗଜପତ୍ର ବୈଧ ନଥିବା ବେଳେ ଓଭରଲୋଡ କରି ଯାଉଥିବାର ତହସିଲଦାର ଯାଞ୍ଚ କରିଥିଲେ । ଗାଡ଼ିର କେତେକ କାଗଜପତ୍ର ତ୍ରୁଟିଗତ ଥିବାରୁ ଏହି ୬ ଡମ୍ପରରୁ ୧ଲକ୍ଷ ୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ତହସିଲଦାର କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଜରିମାନା ପରେ ଏହି ଡମ୍ପର ଗୁଡ଼ିକୁ ଛଡ଼ା ଯାଇଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।
ପଶ୍ଚିମବଙ୍ଗକୁ ବେଆଇନ୍ ବାଲି ଓ ପଥର ବୋଝେଇ ଡମ୍ପର ଦୈନିକ ଶତାଧିକ ଚଳାଚଳ କରୁଥିବା ବେଳେ ପୋଲିସ ଓ ରାଜସ୍ୱ କର୍ମଚାରୀମାନେ ମାଲେମାଲ ହେଉଥିବାର ସାଧାରଣରେ ଅଭିଯୋଗ ହେଉଛି ।
