ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ଭାରତକୁ ୩ ଉଇକେଟରେ ହରାଇଲା ଅଷ୍ଟ୍ରେଲିଆ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚ୍ରେ ଭାରତକୁ ୩ ଉଇକେଟରେ ହରାଇଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଆଗରେ ଚ୍ୟାଲେଞ୍ଜିଂ ୧୫୫ ରନର ଟାର୍ଗେଟ ସେଟ କରିଥିଲା ଭାରତୀୟ ମହିଳା ଦଳ। ମାତ୍ର ୧୯ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ଜିତିନେଇଛି । ଭାରତୀୟ ଦଳ ଭଲ ବୋଲିଂ କରିଥିଲେ ହେଁ ଅଷ୍ଟ୍ରେଲିଆ ଖେଳାଳି ଗାର୍ଡନରଙ୍କ ଧୂଆଁଧାର ଅର୍ଦ୍ଧଶତକ ଭାରତକୁ ପରାଜୟ ଦେଇଛି । ଗାର୍ଡନର ମାତ୍ର ୩୫ ବଳ ଖେଳି ୫୨ ରନ ସହ ନଟଆଉଟ ରହିଥିଲେ । ସେହିପରି ଭାରତ ପକ୍ଷରୁ ରେଣୁକା ସିଂହଙ୍କ ୪ ଉଇକେଟ ମଧ୍ୟ ବେକାର ସାବ୍ୟସ୍ତ ହୋଇଛି ।
ଆଜିର ମ୍ୟାଚରେ ଟସ୍ ଜିତି ଭାରତୀୟ ମହିଳା ଟିମ୍ର ଅଧିନାୟକ ହରମନପ୍ରୀତ କୌର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ଓପନର ସ୍ମୃତି ମନ୍ଧାନା(୨୪) ଓ ଶେଫାଲି ବର୍ମା ପ୍ରଥମ ୱିକେଟ ପାଇଁ ୨୫ ରନ ଯୋଡ଼ିଥିଲେ। ଏହି ୨୫ ରନର ଭାଗିଦାରୀ ମଧ୍ୟରୁ ମନ୍ଧାନା ଏକାକୀ ୨୪ ରନ କରିଥିଲେ। ତାଙ୍କୁ ଡି ବ୍ରାଉନ ଆଉଟ କରି ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ। ମନ୍ଧାନା ଆଉଟ ହେବା ପରେ ଶେଫାଲି ବର୍ମା ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ସେ ୟାସ୍ତିକା ଭାଟିଆ(୮)ଙ୍କ ସହ ମିଶି ଦଳୀୟ ସ୍କୋରକୁ ୬୮ରେ ପହଞ୍ଚାଇଥିଲେ। କିନ୍ତୁ ଏହି ସମୟରେ ତାଳମେଳ ଅଭାବରୁ ୟାସ୍ତିକା ରନ ଆଉଟ ହୋଇଯାଇଥିଲେ। ସେହପରି ଶେଫାଲି ବର୍ମା(୪୮) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ତାଙ୍କ ୱିକେଟ ଜେସ ଜୋନାସେନ ନେଇଥିଲେ। ଅଧିନାୟକ ହରମନପ୍ରୀତ କୌର ଅଷ୍ଟ୍ରେଲିଆ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ ମଧ୍ୟ କେହି ବି ତାଙ୍କ ସାଥ ବେଶୀ ସମୟ ଦେଇ ପାରି ନଥିଲେ। ଜେମିମା ରୋଡ୍ରିଗସ ୧୧, ଦୀପ୍ତି ଶର୍ମା ୧ ଓ ହାରଲୀନ ଦେଓଲ ୭ ସମସ୍ତଙ୍କୁ ନିରାଶ କରିଥିଲେ। ତଥାପି କୌର ଏକାକୀ ଲଢ଼େଇ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଶେଷ ଓଭର୍ରେ ହିଁ ୫୨ ରନ କରି ମେଗନା ସ୍କଟଙ୍କ ବଲରେ ଆଉଟ ହୋଇଥିଲେ। ଏହି ଇନିଂସରେ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେ ଆଉଟ ହେବା ପରେ ଭାରତ ୮ ୱିକେଟ ହରାଇ ୧୫୪ ରନରେ ଅଟକି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜେସ ଜୋନାସେନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମେଗନା ସ୍କଟ ୨ଟି ଓ ବ୍ରାଉନ ଗୋଟିଏ ସଫଳତା ପାଇଛନ୍ତି।
୧୫୫ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ହିଁ ରେଣୁକା ସିଂହ ଆଲେସା ହେଲୀ(୦)ଙ୍କୁ ଆଉଟ କରିଥିଲେ। ଏହାପରେ ମେଗ ଲାନିଙ୍ଗ(୮), ବେଥ ମୋନୀ(୧୦) ଓ ତାହିଲା ମ୍ୟାଗରାଥ(୧୪) ପ୍ୟାଭିଲିୟନ ଫେରିଥିଲେ। ପ୍ରଥମ ୪ ୱିକେଟ ଅଷ୍ଟ୍ରେଲିଆ ୩୪ ରନ ମଧ୍ୟରେ ହରାଇ ସଙ୍କଟରେ ପଡ଼ିଥିଲା। ସବୁ ମହିଳା ବ୍ୟାଟରଙ୍କ ୱିକେଟ ରେଣୁକା ସିଂହ ହିଁ ନେଇଥିଲେ। ସେ ୪ ଓଭରରେ ୧୮ ରନ ଦେଇ ୪ଟି ୱିକେଟ ଦଖଲ କରିଥିଲେ। ଦଳୀୟ ସ୍କୋର ୪୯ ଥିବା ବେଳେ ଦୀପ୍ତି ଶର୍ମା ୯ ରନ କରିଥିବା ରିଚେଲ ହାୟନେସଙ୍କୁ ଆଉଟ କରିଥିଲେ। ୫୦ ରନ ଭିତରେ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ହାରିସ ଓ ଗାର୍ଡେନର ହାର ମାନିବା ମୁଡ଼ରେ ନଥିଲେ। ବିଶେଷ କରି ହାରିସଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲେ। ସେ ଗାର୍ଡେନରଙ୍କ ସହ ମିଶି ୬ଷ୍ଠ ୱିକେଟ ପାଇଁ ୫୧ ରନ ଯୋଡ଼ିଥିଲେ। ହାରିସ ୨୦ ବଲରେ ୩୭ ରନ କରିଥିବା ବେଳେ ତାଙ୍କୁ ଡେବ୍ୟୁଟାଣ୍ଟ ମେଘନା ସିଂହ ଆଉଟ କରି ଭାରତକୁ ମ୍ୟାଚ୍ରେ କମବ୍ୟାକ କରାଇଥିଲା। ଏହାପରେ ଜେସ ଜୋନାସେନ(୩)ଙ୍କୁ ମଧ୍ୟ ଦୀପ୍ତି ଶର୍ମା ଆଉଟ କରି ଦେଇ ଅଷ୍ଟ୍ରେଲିଆକୁ ୭ମ ଝଟକା ଦେଇଥିଲେ। କିନ୍ତୁ କ୍ରିଜରେ ଥିବା ଗାର୍ଡେନର ଦମଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ସେ ଶେଷ ଯାଏ ୩୫ ବଲରେ ଅପରାଜି ୫୨ ରନର ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି। ତାଙ୍କ ସହ ଆଲନା କିଙ୍ଗ ୧୬ ବଲରେ ୧୮ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ। ଦଳକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ କିଙ୍ଗ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ। ସୂଚନା ଯେ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ଚଳିତ ବର୍ଷ ସାମିଲ କରାଯାଇଛି। ଏହି ଟି-୨୦ ଫର୍ମାଟର ପ୍ରଥମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଐତିହାସିକ ମ୍ୟାଚରେ ଭାରତକୁ ହାରିବାକୁ ପଡ଼ିଛି।
