ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ୫-୦ରେ ପାକିସ୍ତାନ ବକ୍ସରଙ୍କୁ ହରାଇଲେ ଭାରତୀୟ ଷ୍ଟାର ବକ୍ସର ଶିବ ଥାପା
ବର୍ମିଂହାମ : ଆରମ୍ଭ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ । ଶୁକ୍ରବାର ପ୍ରଥମ ଦିନରେ ଭାରତୀୟ ଦଳର ଅନେକ ଆଥଲେଟ୍ ମଇଦାନକୁ ଓହ୍ଲାଇଛନ୍ତି । ଏହାରି ମଧ୍ୟରେ ପ୍ରଥମ ମ୍ୟାଚ୍ରେ ଚମକିଛନ୍ତି ଭାରତର ଷ୍ଟାର ବକ୍ସର ଶିବ ଥାପା। ସେ ୬୩.୫ କେଜି ବର୍ଗର ରାଉଣ୍ଡ ୩୨ ମୁକାବିଲାରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି । ସେ ଏହି ମ୍ୟାଚ୍କୁ ୫ ଜଣ ବିଚାରପତିଙ୍କ ସର୍ବସମ୍ମତି କ୍ରମେ ଅର୍ଥାତ ୫-୦ରେ ବାଜିମାତ କରିଛନ୍ତି ।
ଏହି ମ୍ୟାଚରେ ପାକସ୍ତାନ ବକ୍ସର ସୁଲେମାନ ଯେତେ ଚେଷ୍ଟା କରି ନଥିଲେ ମଧ୍ୟ ଶିବ ଥାପାଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ ହୋଇ ନଥିଲେ। ଶିବ ଦମଦାର ପଚିଂ ମାରି ସୁଲେମାନଙ୍କୁ ଧରାଶାୟୀ କରିଥିଲେ। ପ୍ରଥମ ରାଉଣ୍ଡରେ ଶିବ ଥାପାଙ୍କୁ ସମସ୍ତ ୫ ବିଚାରପତି ୫୦ ପଏଣ୍ଟ ଦେଇଥିବା ବେଳେ ସୁଲେମାନଙ୍କୁ ୪୪ ପଏଣ୍ଟ ମିଳିଥିଲା। ସେହିପରି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଶିବ ଥାପାଙ୍କୁ ସବୁ ଜଜ ଫୁଲ ମାର୍କ ଦେଇଥିଲେ। ତୃତୀୟ ରାଉଣ୍ଡ ଲଢ଼େଇ ପରେ ଶିବ ଥାପା ୫-୦ରେ ମ୍ୟାଚ୍ ଜିତି ନେଇଥିଲେ। ଏହି ବିଜୟ ସହ ସେ ରାଉଣ୍ଡ ୧୬ ଅର୍ଥାତ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
