ବ୍ରାହ୍ମଣୀ ନଦୀରୁ ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ଗତ ବୁଧବାରରୁ ନିଖୋଜ ଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ସିଙ୍ଗୁରି ଗ୍ରାମର ସୁରେଶ ପେଣ୍ଠେଇଙ୍କ ସ୍ତ୍ରୀ ଶୋଷଳା ପେଣ୍ଠେଇ(୬୨) ।
ମିଳିଥିବା ରିପୋର୍ଟ ମୁତାବକ, ଶୋଷଳା ଗତ ବୁଧବାର ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଗତକାଲି ରାତିରେ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବ୍ରାହ୍ମଣି ନଦୀରେ ଏକ ମୃତଦେହ ଭାସୁଥିବା ସୂଚନା ପାଇ ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳକୁ ଯାଇ ଚିହ୍ନଟ କରିଥିଲେ । ପରେ ବାରକୋଟ ଥାନା ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
