ଏଣିକି ବର୍ଷକୁ ଚାରିଥର ଭୋଟର ତାଲିକାରେ ନୂଆ ଭୋଟରଙ୍କୁ ସାମିଲ କରାଯାଇପାରିବ
ନୂଆ ନିୟମ ମାଧ୍ୟମରେ ପ୍ରସ୍ତୁତ ହେବ ତ୍ରୁଟିଶୂନ୍ୟ ଭୋଟର ତାଲିକା
ଭୁବନେଶ୍ୱର : ଜନ ପ୍ରତିନିଧି ଅଧିନିୟମ-୧୯୫୦କୁ କେନ୍ଦ୍ର ସରକାର ସଂଶୋଧନ କରିଥିବାରୁ ଏଣିକି ଗୋଟିଏ ବର୍ଷରେ ୪ଥର ଭୋଟର ତାଲିକାରେ ନୂଆ ଭୋଟରଙ୍କୁ ସାମିଲ କରାଯାଇପାରିବ । ରାଜ୍ୟର ସବୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ପୂର୍ବରୁ ଭୋଟର ତାଲିକାରେ ନାଁ ସାମିଲ ପାଇଁ ପ୍ରତିବର୍ଷ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ନୂଆ ଭୋଟରଙ୍କୁ ଅପେକ୍ଷା କରିବାକୁ ପଡୁଥିଲା ।
ସଂଶୋଧିତ ନୂଆ ନିୟମ ଅନୁସାରେ ଭୋଟର ତାଲିକାରେ ସାମିଲ ହେବା ପାଇଁ ୪ଟି ଯୋଗ୍ୟତାସୂଚକ ତାରିଖ ରଖିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ୧୮ ବର୍ଷ ବୟସ୍କ ନୂଆ ଭୋଟରଙ୍କୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ତାଲିକାରେ ନାଁ ଲେଖାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା । ସଂଶୋଧିତ ନିୟମ ଅନୁସାରେ ଏଣିକି ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ଯେଉଁମାନେ ୧୮ବର୍ଷ ବୟସର ହେବେ ସେମାନେ ଭୋଟର ତାଲିକାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହେବେ । ଫଳରେ ନୂଆ ତଥା ଯୁବ ଭୋଟରଙ୍କୁ ନିଜ ନାଁ ଭୋଟର ତାଲିକାରେ ସାମିଲ କରିବା ନିମନ୍ତେ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେହିପରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟରମାନଙ୍କ ଆଧାର ନମ୍ବରକୁ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବ । ସେହିପରି ଏଣିକି ସଂଶୋଧିତ ନିୟମ ଅନୁସାରେ ଫର୍ମ-୬ରେ ଭୋଟରମାନେ ଭୋଟର ତାଲିକାରେ କେବଳ ନାମ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ଓ ଫର୍ମ-୮କୁ ଗୋଟିଏ ନିର୍ବାଚନମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉପଯୋଗ କରିବେ । ଫର୍ମ-୭ରେ ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଇପାରିବ ।
ସେହିପରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟରମାନଙ୍କ ଆଧାର ନମ୍ବରକୁ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବ ବୋଲି ନିର୍ବାଚନ ଆୟୋଗ ନିଷ୍ପତି ନେଇଛନ୍ତି । ଏହା ଫଳରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସହ ଦୋହରା ଭୋଟରଙ୍କୁ ରୋକାଯାଇ ପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଭୋଟର ତାଲିକରେ ନାମ ଯୋଗ, ତାଲିକାରୁ ନାମ ବାଦଦେବା, ନାମ ସଂଶୋଧନ କରିବା ଇତ୍ୟାଦି କାର୍ଯ୍ୟ ନିମନ୍ତେ ପୂର୍ବରୁ ଫର୍ମ ନଂ-୬, ଫର୍ମ ନଂ-୭, ଫର୍ମ ନଂ-୮ ବ୍ୟବହାର କରାଯାଉଥିଲା । ଫର୍ମଗୁଡ଼ିକରେ ସଂଶୋଧନ କରାଯାଇ ନୂତନ ଫର୍ମ ନଂ-୬ରେ ଭୋଟରମାନେ ଭୋଟର ତାଲିକାରେ କେବଳ ନାମ ପଂଜୀକରଣ ନିମନ୍ତେ ଆବେଦନ କରିପାରିବେ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରଣ ନିମନ୍ତେ ଫର୍ମ ନଂ-୮ର ବ୍ୟବହାର କରାଯିବ । ପୂର୍ବଭଳି ଫର୍ମ ନଂ-୭ରେ ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଏଏସ୍ଇ ଇଦ୍ରିଶ ଖାନ୍ ଓ ଟି. ଯୋଗେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
