କୋଟପା ଆଇନ କାର୍ଯ୍ୟାନ୍ୱୟନ ନେଇ ଧରପଗଡ଼
ଭଦ୍ରକ : କୋଟପା ଆଇନ୍ର କାର୍ଯ୍ୟକାରୀତା ପାଇଁ ଗତ ତା ୭-୫-୨୨ରିଖ ରେ ଏସ୍.ପି. ଚରଣ ସିଂ ମୀନାଙ୍କ ଅଧ୍ୟକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଥିବା ପ୍ରଶିକ୍ଷଣ ଶିବିରରେ ଆଲୋଚନା ଅନୁଯାୟୀ ଧରପଗଡ଼ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଏଥିପାଇଁ ପ୍ରସ୍ତୁତ ଯୋଜନା ମତେ ଆଜି ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଭଦ୍ରକ କଲେଜ ରାସ୍ତା ଅଞ୍ଚଳରେ ଦୋକାନ ମାନଙ୍କରେ ଚଢ଼ାଓ କରାଯାଇ ବିକ୍ରୟ କରାଯାଉଥିବା ନିଷିଦ୍ଧ ଥିବା ତମାଖୁ ଜାତୀୟ ଦ୍ରବ୍ୟ ସବୁ ଜବତ କରାଯାଇଛି । କୋଟପା ଆଇନ୍ ଉଂଲଘନକାରୀ ୧୬ ଜଣଙ୍କ ଠାରୁ ଜୋରିମାନା ବାବଦ ୨,୪୫୦ ଟଙ୍କା ଆଦାୟ କରାଯାଇଛି । ଟାଉନ୍ ପୋଲିସ ଏସ୍.ଆଇ. ସାଗର ପ୍ରସାଦ ଦାସ, ଏ.ଏସ୍.ଆଇ. ନୀଳମଣି ଦାସ, ଏପିଡ଼େମିଲୋଜିଷ୍ଟ ଡ଼ା କାଶିନାଥ ପଣ୍ଡା, ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ, ଅବକାରୀ ଇନିସ୍ପେକ୍ଟର ସ୍ୱାତୀ ପଟ୍ଟନାୟକ, ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ କୁମାର ରାଉତ ଏବଂ ଡ଼୍ରଗ ଇନିସ୍ପେକ୍ଟର କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଏହି ଧରପଗଡ଼ ଦଳରେ ସାମିଲ ଥିଲେ । ଚଢ଼ାଓ ରେ ଜବତ କରାଯାଇଥିବା ସିଗାରେଟ୍, ଗୁଟ୍ଖା ଆଦି ତମାଖୁ ଜାତୀୟ ଦ୍ରବ୍ୟକୁ ସଂପୃକ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ଥାନା ପରିସରରେ ଅଗ୍ନି ସଂଯୋଗ କରି ପୋଡ଼ି ନଷ୍ଟ କରି ଦିଆଯାଇଥିଲା ।
