ଆଇପିଏଲ୍-୨୦୨୨ : ୫ ଉଇକେଟରେ ଚେନ୍ନାଇକୁ ହରାଇଲା ରାଜସ୍ଥାନ
ମୁମ୍ବାଇ : ଆଇପିଏଲ-୨୦୨୨ର ୬୮ତମ ମ୍ୟାଚରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ ଜରିଆରେ ରାଜସ୍ଥାନ ରୟାଲ୍ସ ନିଜର ଶେଷ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ଓ୍ଵିକେଟରେ ହରାଇଛି। ଚେନ୍ନାଇ ଦ୍ଵାରା ଧାର୍ଯ୍ୟ ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ଯଶସ୍ଵୀ ଜୟସଓ୍ଵାଲଙ୍କ ୫୯ ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ ଅପରାଜିତ ୪୦ ରନ ସହାୟତାରେ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଏହି ବିଜୟ ସହ ପ୍ଲେ ଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବା ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଛି ରାଜସ୍ଥାନ। ୧୪ଟି ମୁକାବିଲାରୁ ୯ ବିଜୟ ପରେ ଫାଇନାଲ୍ ଖେଳିବା ପାଇଁ ଦଳ ନିକଟରେ ଦୁଇଟି ସୁଯୋଗ ମିଳିବ। ଅନ୍ୟପଟେ ପରାଜୟ ସହ ଚେନ୍ନାଇ ଆଇପିଏଲ ୨୦୨୨ ଅଭିଯାନ ଶେଷ କରିଛି। ଦଳ ସମସ୍ତ ମ୍ୟାଚ୍ ଖେଳି ୪ ବିଜୟ ଏବଂ ୧୦ମ ପରାଜୟ ସହ ପଏଣ୍ଟ ତାଲିକାର ନବମରେ ରହିଛି।
ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚରେ ଚେନ୍ନାଇ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ ଓ ଡେବନ କନଓ୍ବେ ଯଥାକ୍ରମେ ୨ ଓ ୧୬ ରନରେ ଆଉଟ ହୋଇଯିବା ପରେ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ମାତ୍ର ୫୭ଟି ବଲ ଖେଳି ୧୩ ଚୌକା ଓ ୩ ଛକା ସହ ୯୩ ରନ କରିଥିଲେ । ମାତ୍ର ସେ ଓବେଡ୍ ମାକକଏଙ୍କ ବଲରେ ରିୟାନ ପରାଗଙ୍କ ହାତରେ ଧରା ପଡ଼ି ଆଉଟ ହୋଇଥିଲେ । ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ପୁଣି ବିଫଳ ହୋଇଥିଲେ । ଅନଓ୍ବେ ଆଉଟ ହେବା ପରେ ଦଳ ଅଳ୍ପ ରନ ବ୍ୟବଧାନରେ ଆଉ ୨ଟି ଓ୍ବିକେଟ ହରାଇଥିଲା । ଜଗଦୀଶନ ୧ ଓ ଅମ୍ବାତି ରାୟଡୁ ୩ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୬ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟତା କରିଥିଲେ । ରାଜସ୍ଥାନ ପକ୍ଷରୁ ଅବେଡ ମ୍ୟାକକୟ ୨୦ ରନ ଦେଇ ୨, ୟୁଜବେନ୍ଦ୍ର ଚହଲ ୨୬ ରନ ଦେଇ ୨ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୨୮ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ।
ଜବାବରେ ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଯଶସ୍ଵୀ ଜୟସଓ୍ଵାଲ ୪୪ ବଲରୁ ୮ ଚୌକା ଏବଂ ୧ ଛକା ସହ ୫୯ ରନର ଇନିଂସ ଖେଳିଛନ୍ତି। ମଧ୍ୟକ୍ରମରେ ସଅଳ ଓ୍ଵିକେଟ୍ ଖସିବାରୁ ରାଜସ୍ଥାନ ରୟାଲ୍ସର ରନ ଗତି ଧିମେଇ ଯାଇଥିଲା। ଦେବଦତ୍ତ ପାଡିକଲ(୩) ଅଧିକ ସମୟ ତିଷ୍ଠି ପାରିନଥିଲେ। ହେଲେ ରବିଚନ୍ଦ୍ରନ ଅଶ୍ଵିନ ଦ୍ରୁତ ବ୍ୟାଟିଂ କରି ଦଳକୁ ବିଜୟୀ କରାଇବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଅଶ୍ଵିନ ୨୩ ବଲରୁ ୨ ଚୌକା ଏବଂ ୩ ଛକା ଜରିଆରେ ୪୦ ରନ କରି ଅପରାଜିତ ଅଛନ୍ତି। ରିୟାନ ପରାଗ ୧୦ ରନ କରିଛନ୍ତି। ଜୋସ୍ ବଟଲର ୨ ବିଫଳ ହୋଇଛନ୍ତି।
