ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ! ଜୁନ ପହିଲାରୁ ଅନଲାଇନ ଟିକେଟ ବିକ୍ରି
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
କଟକ : ଆସନ୍ତା ଜୁନ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଜୁନ୍ ୧ରୁ ଅନ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ । ଜୁନ ୯ ଓ ୧୦ତାରିଖରେ ଅଫ୍ଲାଇନ୍ ଟିକେଟ ବିକ୍ରି ହେବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
ଷ୍ଟାଡିୟମରେ ପୁରା କ୍ଷମତା ସହିତ ଦର୍ଶକ ରହିବେ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନର ବୈଠକରେ ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା । ବାଲିଯାତ୍ରା ପଡିଆରେ ସର୍ବସାଧାରଣଙ୍କ ପାଇଁ ହେବ ଗାଡି ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଟିକେଟ ବିକ୍ରି ଉପରେ ନଜର ରଖାଯିବ ବୋଲି ସେ କହିଛନ୍ତି । ଏଣେ ମ୍ୟାଚ ପାଇଁ ବଢ଼ିଲା ଟିକେଟ ଦର ବୃଦ୍ଧି କରାଯାଇଛି । ଗ୍ୟାଲେରି ନମ୍ବର ୧,୩ ଓ ୫ର ଟିକେଟ ଦର ୯୦୦ ଟଙ୍କା ରହିଛି । ୨ ଓ ୪ ନମ୍ବର ଗ୍ୟାଲେରିର ଟିକେଟ ଦର ୭୦୦, ୭ ନମ୍ବର ଗ୍ୟାଲେରିର ଦର ୬୦୦, ସ୍ପେଶାଲ ଏନ୍କ୍ଲୋଜର ୫୦୦୦, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିଅନ୍ ୮୦୦୦, କର୍ପୋରେଟ ବକ୍ସ ଟିକେଟ ୧୨ ହଜାରକୁ ବୃଦ୍ଧି କରାଯାଇଛି । Paytmରେ ବିକ୍ରି ହେବ ୫୦୦୦ ଟିକେଟ ।
ସୂଚନା ଯେ,ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଜୁନ୍ ୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୯ ତାରିଖରେ ଶେଷହେବ । ନୂଆଦିଲ୍ଲୀରେ ପ୍ରଥମ ମ୍ୟାଚ୍ ଜୁନ୍ ୯ରେ ଖେଳାଯିବା ପରେ ଦ୍ୱିତୀୟ ମ୍ୟାଚ୍ ଜୁନ୍ ୧୨ ତାରିଖରେ କଟକରେ ଆୟୋଜିତ ହେବ । ସେହିଭଳି ତୃତୀୟ, ଚତୁର୍ଥ ଏବଂ ପଂଚମ ମୁକାବିଲା ଯଥାକ୍ରମେ ବିଶାଖାପାଟଣା, ରାଜକୋଟ ଏବଂ ବେଙ୍ଗାଲୁରୁରେ ଜୁନ୍ ୧୪, ୧୭ ଏବଂ ୧୯ ତାରିଖରେ ଖେଳାଯିବ । ଏହା ପୂର୍ବରୁ ବିସିସିଆଇ ଆଇପିଏଲ୍ ପ୍ଲେ ଅଫ୍କୁ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଆୟୋଜନ କରିବାକୁ ଅନୁମତି ଦେଇସାରିଛି । କୋଭିଡ୍ ସଂକ୍ରମଣ ସଂଖ୍ୟା ଧୀରେଧୀରେ କମୁଥିବାରୁ ଦର୍ଶକଙ୍କୁ ଷ୍ଟାଡିୟମ୍ ଆସି ମ୍ୟାଚ୍ର ମଜା ନେବାର ସୁଯୋଗ ଦେବାକୁ ବିସିସିଆଇ ନିଷ୍ପତି ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ୨୦୨୧ ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ ଖେଳିବାରୁ ଅଳ୍ପକେ ବଂଚିତ ହେବାପରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ଟି-୨୦ ଶୃଙ୍ଖଳା ହେବ । ଭାରତ ମଧ୍ୟ ଦୀର୍ଘ ବ୍ୟବଧାନ ପରେ କୌଣସି ଅନ୍ତର୍ଜାତୀୟ ଶୃଙ୍ଖଳା ଖେଳିବ । ତା ଛଡ଼ା ବାଂଲାଦେଶ ଓ ପାକିସ୍ତାନ ସହ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଚଳିତବର୍ଷର ଟି-୨୦ ବିଶ୍ୱକପ୍ରେ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି । ଏଣୁ ଏହି ଶୃଙ୍ଖଳାକୁ ନେଇ ଉଭୟ ଦେଶର ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ଏହି ଶୃଙ୍ଖଳାରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି ବିସିସିଆଇ ଆଗୁଆ ସଙ୍କେତ ଦେଇସାରିଛି । ଯଦି ଓଡ଼ିଶା କ୍ରିକେଟ୍ ପ୍ରଶଂସକଙ୍କ କଥା କୁହାଯାଏ, ତାହେଲେ ସେମାନେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ବାରବାଟୀ ଗ୍ୟାଲେରିରେ ବସି ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ । କାରଣ ଏଠାରେ ୨୦୧୯ ଡିସେମ୍ବର ୨୨ ତାରିଖର ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍ ପରେ ଅନ୍ୟ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନି । ଶେଷଥର ପାଇଁ ବାରବାଟୀରେ ୨୦୧୭ ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଉଭୟ ମ୍ୟାଚ୍କୁ ଭାରତ ଯଥାକ୍ରମେ ୪ ୱିକେଟ୍ ଏବଂ ୯୩ ରନ୍ରେ ଜିତି ନେଇଥିଲା ।
