ଭଦ୍ରକ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ଭଦ୍ରକ : ସାମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ, ଉଦ୍ଧାର, ଥଇଥାନ ଆଦି କାର୍ଯ୍ୟର ସୁପରିଚାଳନା ନିମିତ୍ତ ଚଳିତ ବର୍ଷ ପାଇଁ ଆଜି ଜିଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଡ଼ି.ଆର.ଡ଼ି.ଏ. ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାଯୋଜନା ବୋର୍ଡ଼ ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍, ଅଧ୍ୟକ୍ଷ ଜିଲା ପରିଷଦ ପ୍ରଫୁଲ୍ଲ କୁମାର ଜେନା, ଧାମନଗର ବିଧାୟକଙ୍କ ପ୍ରତିନିଧି ମନୋରଂଜନ ମଲ୍ଲିକ୍, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।
ବିପର୍ଯ୍ୟୟ ପରିଚାଳନା ନେଇ ଜୋନ୍, ସବ୍ଜୋନ୍ ଗଠନ ଓ ଅଧିକାରୀ ନଯୁକ୍ତି, ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀର ମରାମତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ଓ ପ୍ରତିକାର, ସରକାରୀ ଯନ୍ତ୍ର ଚାଳିତ ଡ଼ଙ୍ଗାର ର ମରାମତି ଓ ରକ୍ଷଣାବେକ୍ଷଣ, ବର୍ଷା ଜଳ ନିଷ୍କାସନ, ଦୁର୍ଗମ ସ୍ଥାନରେ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ, ନିୟନ୍ତ୍ରଣ କକ୍ଷର କାର୍ଯ୍ୟକ୍ଷମ, ସ୍ୱାସ୍ଥ୍ୟସେବା ପାଇଁ ଆଗୁଆ ପଦକ୍ଷେପ, ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ, ଅସ୍ଥାୟୀ ବେତାରକେନ୍ଦ୍ର ସ୍ଥାପନ, ପଶୁ ଚିକିତ୍ସା ଓ ପଶୁ ଖାଦ୍ୟ ମହଜୁଦ ବ୍ୟବସ୍ଥା, କୃଷି ସେବା ପାଇଁ ପଦକ୍ଷେପ, ବର୍ଷା ପରିମାପକ ଯନ୍ତ୍ରର ଅବସ୍ତା ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ତଦ୍ଜନିତ ସମସ୍ୟାର ସମାଧାନ ଓ ସାମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ନିମିତ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ବିପର୍ଯ୍ୟୟର ସୁପରିଚାଳନା ପାଇଁ ଭଦ୍ରକ ଜିଲାକୁ ୧୨ଟି ଜୋନ୍ରେ ଭାଗ କରାଯାଇଛି । ୭ଟି ବ୍ଲକ୍, ୪ଟି ପୌରାଞ୍ଚଳ ଓ ଧାମରାକୁ ଗୋଟିଏ ଜୋନ୍ ଭାବେ ନିଆଯାଇଛି । ବ୍ଲକ ସ୍ତରୀୟ ଜୋନ୍ ପାଇଁ ବି.ଡ଼ି.ଓ. ମାନଙ୍କୁ ଜୋନ୍ ଅଧିକାରୀ ଓ ତହସିଲଦାରମାନଙ୍କୁ ଅତିରିକ୍ତ ଜୋନ୍ ଅଧିକାରୀ, ପୌରାଞ୍ଚଳ ଜୋନ୍ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଜୋନ୍ ଅଧିକାରୀ ଓ ଅତିରିକ୍ତ ତହସିଲଦାରଙ୍କୁ ଅତିରିକ୍ତ ଜୋନ୍ ଅଧିକାରୀ, ଧାମରା ପାଇଁ ଏବିଡ଼ଇଓ ଚାନ୍ଦବାଲି ଜୋନ ଅଧିକାରୀ ଓ ଅତିରିକ୍ତ ତହସିଲଦାର ଚାନ୍ଦବାଲିଙ୍କୁ ଅତିରିକ୍ତ ଜୋନ୍ ଅଧିକାରୀ ଦାୟୀତ୍ୱ ଦିଆଯାଇଛି । ପୁଣି ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଜିଲାପାଳଙ୍କୁ ଭଦ୍ରକ ବ୍ଲକ ଓ ଭଦ୍ରକ ପୌରପାଳିକା, ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଓ ପୌରପରିଷଦ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଧାମନଗର ଓ ବନ୍ତ ବ୍ଲକ ଓ ଧାମନଗର ପୌରାଞ୍ଚଳ, ଉପଜିଲାପାଳଙ୍କୁ ତିହିଡ଼ି ଓ ଭଣ୍ଡରିପୋଖରୀ ବ୍ଲକ୍ର ଦାୟୀତ୍ୱ ଅର୍ପଣ କରାଯାଇଛି । ବିପର୍ଯ୍ୟୟ ସମ୍ପର୍କ ସୂଚନା ଓ ନଦୀର ଜଳପତନ ବିବରଣୀ ତ୍ୱରିତ ହସ୍ତଗତ ପାଇଁ ବୈତରଣୀ ନଦୀର ଆଖୁଆପଦା, ଗାନ୍ଧୀଘାଟ, ତିହିଡ଼ିର ଶ୍ୟାମସୁନ୍ଦରପୁର ଠାରେ ଜୁନ୍ ୧ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ୩ଟି ଅସ୍ଥାୟୀ ବେତାର କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି । ବି.ଡ଼ି.ଓ ଓ ତହସିଲଦାର ମାନଙ୍କ ଦାୟିତ୍ୱରେ ଥିବା ଜିଲାର ସମୁଦାୟ ୩୬ଟି ଯନ୍ତ୍ରଚାଳିତ ଡ଼ଙ୍ଗା ମଧ୍ୟରୁ ୩୦ଟି ସଚଳ ଓ ୬ଟି ଅଚଳ ଏବଂ ଏଥିପାଇଁ ୩୧ଜଣ ଅସ୍ଥାୟୀ ଲଞ୍ଚ ଡ଼୍ରାଇଭର ଓ ୩୦ଜଣ ଖଲାସୀ ନିଯୁକ୍ତ ନିମନ୍ତେ ପଦକ୍ଷେପ ନିଆଯାଇଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ଜିଲା ମୁଖ୍ୟ କାର୍ଯ୍ୟାଳୟ ଓ ଭଦ୍ରକ ବ୍ଲକ ବ୍ୟତୀତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ବର୍ଷାମାପକ ଯନ୍ତ୍ର କାର୍ଯ୍ୟକ୍ଷମ ଥିବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା । ଜିଲାରେ ଥିବା ବାତ୍ୟାଆଶ୍ରୟସ୍ଥଳୀ ୬୦ଟି, ବନ୍ୟା ଆଶ୍ରୟସ୍ଥଳୀ ୨୪ଟି , ଏସ୍.ଆର୍.ସିଙ୍କ ଅଧୀନରେ ଏବଂ ରେଡ଼କ୍ରସ୍ ବାତ୍ୟାଶ୍ରୟ ସ୍ଥଳୀ ୨୦ଟି ସମୁଦାୟ ୧୦୪ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଅଛି । ବିଶେଷ କରି ସହରାଞ୍ଚଳର ନାଳନର୍ଦ୍ଦମା ଗୁଡ଼ିକର ନିୟମିତ ସଫେଇ ବ୍ୟବସ୍ଥା ଓ ବର୍ଷା/ବନ୍ୟା ଜଳ ସମ୍ପୁର୍ଣ୍ଣ ନିଷ୍କାସନ ଦିଗରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ ସମ୍ବନ୍ଧରେ ବିଧାୟକମାନେ ଓ ସାଂସଦ ପ୍ରମୁଖ ଗୁରୁତ୍ୱ ଆରୋପ କରିଥିଲେ । ଜିଲାରେ ୧୮,୪୮୩ଟି ନଳକୂପ ସଚଳ ଥିବା, ୩୩୭ଟି ପାଇପ ଜଳ କାର୍ଯ୍ୟ କରୁଥିବା, ୨୩୪ଟି ଓଭର ହେଡ଼ ଟ୍ୟାଙ୍କ କାର୍ଯ୍ୟକ୍ଷମ ଥିବା ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପ୍ରକାଶ କରାଯାଇଥିଲା । ବନ୍ୟା ଅଞ୍ଚଳରେ ନଳକୂପ ପ୍ଲାଟଫର୍ମକୁ ଉଚ୍ଚ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବନ୍ୟାକ୍ଲୀଷ୍ଟ ଅଞ୍ଚଳରେ ଗୃହପାଳିତ ପଶୁଙ୍କ ପାଇଁ ୧୪ଟି ଭ୍ରାମ୍ୟମାଣ୍ୟ ଟିମ୍ ଓ ପର୍ଯ୍ୟାପ୍ତ ପରିମାଣରେ ପଶୁ ଔଷଧ ଓ ଇନ୍ଜେକ୍ସନ୍ ପ୍ରସ୍ତୁତ ରଖାଯାଇଥିବା ନେଇ ଜିଲା ମୁଖ ମୁଖ୍ୟ ଚିକିତ୍ସାଧିକାରୀ ତଥ୍ୟ ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ସେବା ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ବନ୍ୟା ଜନିତ ସଂକ୍ରମଣ ରୋଗ ମୁକାବିଲା ନିମନ୍ତେ ୧୦ ଗୋଟି ମୋବାଇଲ ରିଲିଫ୍ ଟିମ୍ ଗଠନ କରାଯିବା ସହିତ ଆବଶ୍ୟକୀୟ ଅନୁଯାୟୀ ଜରୁରୀ ଔଷଧ, ସାପ ବିଷ, ଇନ୍ଜେକ୍ସନ୍ ସାମଗ୍ରୀ ମହଜୁଦ ରଖାଯାଇଥିବା ନେଇ ବୈଠକରେ ଉପସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ପାତ୍ର ପ୍ରକାଶ କରିôତଲେ । ଦୁର୍ଗମ ସ୍ଥାନରେ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ ନେଇ ଜିଲାର ୭ଟି ବ୍ଲକରେ ୪୯ଟି ଗ୍ରା.ପ.ରେ ମୋଟ ୭୦୦୦ ଲିଟର କିରୋସିନୀ, ୧୬,୪୪୦ କ୍ୱଣ୍ଟାଲ ଚାଉଳ, ଗ୍ରା.ପ. ଗୋଦାମ ଗୃହରେ ଓ ୪୦୦୦ କ୍ୱି ରିଜର୍ଭ ଷ୍ଟକ୍ ଭାବେ ଗଚ୍ଛିତ କରାଯିବ ବୋଲି ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । କୃଷିରେ ବନ୍ୟା ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଉଥିବା ଲଘୁ ଶସ୍ୟ ଉତ୍ପାଦନ ପାଇଁ ବିହନ ଓ ମଞ୍ଜି ମହଜୁଦ ରଖିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସାଳନ୍ଦୀ ଜଳ ସେଚନ ଅଧୀନରେ ଚାନ୍ଦବାଲି ଅଞ୍ଚଳରେ ୬୬ କି.ମି. ଲୁଣି ବନ୍ଧ ସହ ସମୁଦାୟ ୨୧୨ କିମି ନଦୀବନ୍ଧ, ବାଲେଶ୍ୱର ସେଚ ଅଧୀନରେ ଥିବା ୬୮ କିମି ସମୁଦ୍ର ମୁହାଁ ଲୁଣି ବନ୍ଧ ଓ ନଦୀମୁହାଁ, ୨୫.୫କିମି. ସମୁଦାୟ ୯୩.୫ କିମି ନଦୀବନ୍ଧ ଏବଂ ଶାଳପଡ଼ା ସେଚ ଅଧୀନରେ ଥିବା ମାତ୍ର ୧.୫ କି.ମି. ନଦୀ ବନ୍ଧର ଦୁର୍ବଳ ଅଞ୍ଚଳ ଚିହ୍ନଟ, ପ୍ରତିକାର ଓ ନଦୀବନ୍ଧ ଭାଙ୍ଗିବା, ବୁଡ଼ିବା ଆଦି ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପୁରାଦମ୍ରେ ପ୍ରସ୍ତୁତ ରହିବା ପାଇଁ ସମ୍ପୃକ୍ତ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଜିଲା ଓ ବ୍ଲକ୍ମାନଙ୍କରେ ନିୟନ୍ତ୍ରଣ କକ୍ଷ ଦିବା ରାତ୍ର କାର୍ଯ୍ୟ କରୁଥିବା ଭଳି ଜଳସେଚନ ଡ଼ିଭିଜନ୍, ଜିଲା କୃଷି କାର୍ଯ୍ୟାଳୟ, ମୁଖ୍ୟ ଚିକିତ୍ସାଳୟ , ଜୁନ୍ ରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ପ୍ରତ୍ୟେହ ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷ ଚାଲୁ ରଖିବାକୁ କୁହାଯାଇଛି । ଉପଜିଲାପାଳ ମନୋଜ ପାତ୍ର, ଅତିରିକ୍ତ ଏସ୍.ପି.ବି.କେ କେର୍କେଟା, ଜିଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି, ପଞ୍ଚାୟତ ସମିତି ଓ ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷ, ଅଧ୍ୟକ୍ଷା ପ୍ରମୁଖଙ୍କ ସହ ଜିଲା, ବ୍ଲକ, ତହସିଲସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।
