ଭଦ୍ରକର ଭାଇଚାରା ନିଆରା : ଇଦ୍ପର୍ବ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ
ଭଦ୍ରକ : ଆଗାମୀ ମଇ ୩ କିମ୍ବା ୪ ତାରିଖରେ ପାଳିତ ହେବାକୁ ଥିବା ଇଦ୍-ଉଲ୍-ଫିତର୍ ପର୍ବ ପାଳନ ଉପଲକ୍ଷେ ସଦ୍ଭାବନା ସଭାଗୃହରେ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସ୍.ପି. ଚରଣ ସିଂ ମୀନା, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ବୈଠକରେ ଜିଲାପାଳଙ୍କ ସହ ଯୋଗ ଦେଇଥିଲେ । ବିଶାଳ ଶୋଭାଯାତ୍ରା, ଭରପୁର ଦର୍ଶକମାନଙ୍କୁ ନେଇ ଗତ ରାମ ନବମୀ ପର୍ବ ପାଳନରେ ମୁସଲମାନ ଜନସାଧାରଣ ଯେଉଁ ଅଦ୍ଭୂତପୂର୍ବ ସହଯୋଗ କରିଥିଲେ ତାହାର ପଟ୍ଟାନ୍ତର ନାହିଁ, ଭଦ୍ରକ ନିଆରା ଭାଇ ଚାରାକୁ ତାହା ପ୍ରମାଣିତ କରିଛିବୋଲି ଜିଲ୍ଲାପାଳ ବୈଠକରେ ପ୍ରକାଶ କରିବା ସହିତ ଆସନ୍ତା ଇଦ୍ପର୍ବ ସେହିଭଳି ହିନ୍ଦୁମାନଙ୍କ ସହଯୋଗ ନେଇ ଉଦ୍ଦିପନାର ସହ ପାଳିତ ହେବବୋଲି ଆଶାବ୍ୟକ୍ତ କରିଥିଲେ ।
ଭଦ୍ରକରେ ହିନ୍ଦୁ ମୁସଲିମ୍ ଭାଇଚାରାର ଯେଉଁ ସୁନାମ ସାରା ବିଶ୍ୱପାଇଁ ରହିଛି ତାହା ସବୁ ପର୍ବ ପାଳନରେ ଅକ୍ଷୂର୍ଣ୍ଣ ରହୁବୋଲି ଏସ୍.ପି. ମଧ୍ୟ ପ୍ରକାଶ କରିଥିଲେ । ବୈଠକରେ ଉପସ୍ଥିତ ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ ଏ ଭାଇଚାରା ଏହି ବର୍ଷର ନୁହେଁ ଦୀର୍ଘବର୍ଷରୁ ଆମଭିତରେ ରହିଆସିଛି ବୋଲି କହିଥିଲେ । ଜହ୍ନ ଦେଖି ପବିତ୍ର ରମଜାନ୍ ମାସ ଆରମ୍ଭ କରାଯାଇଥାଏ ଏବଂ ପୁଣି ଜହ୍ନ ଦେଖି ଏହି ରମ୍ଜାନ ଉପବାସ ଛାଡ଼ିବା ସହିତ ଇଦ୍ ପର୍ବ ପାଳନ କରାଯାଏ । ତେଣୁ ଜହ୍ନର ଦୃଶ୍ୟମାନ ଅନୁଯାୟୀ ଏହି ଇଦ୍ ପର୍ବ ଆସନ୍ତା ୩ କିମ୍ବା ୪ ତାରିଖରେ ପାଳନ କରାଯିବ ପୂର୍ବରୁ ତାହା ଜଣାଇ ଦିଆଯିବ ବୋଲି ମୁସଲିମ୍ ଜମାତ୍ର ସଭାପତି ମହମ୍ମଦ ଅବ୍ଦୁଲ ବାରି ବୈଠକରେ ସୂଚନା ପ୍ରଦାନ କରିଥିଲେ । ଜମାତ୍ର ଅନ୍ୟତମ କର୍ମକର୍ତ୍ତା ସେକ୍ ଇନ୍ମ ମହମ୍ମଦ, ଅବ୍ଦୁଲ ମୋକିତ୍ ଖାଁ, ମହମ୍ମଦ୍ ଜକ୍କାଓଲା, ସେକ୍ ଶିରାଜୁଦ୍ଦିନ୍, ସେକ୍ ଅନୁଆର ହୋସେନ୍, କୟାମତ୍ ଶାହା ପ୍ରମୁଖ ଇଦ୍ ପର୍ବ ପାଳନ ନେଇ ବିଭିନ୍ନ ମତାମତ ରଖିଥିଲେ । ବିଶେଷ୍ କରି ଇଦ୍ ପର୍ବ ପାଳନ ପୂର୍ବ ଦିନ ପୁରୁଣାବଜାର, ଚନ୍ଦନବଜାର, ବାଙ୍କାବଜାର ଅଞ୍ଚଳରେ ରାତିତମାମ ଦୋକାନ ବଜାର ଖୋଲା ରଖିବାକୁ ଓ ଭଦ୍ରକ ସହରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ପ୍ରଶାସନ ପାଖରେ ଅନୁରୋଧ କରିଥିଲେ । ପ୍ରତ୍ୟେକ ମସ୍ଜିଦ୍ ବିଶେଷ କରି ୫/୭ ହଜାର ଲୋକଙ୍କୁ ନେଇ ଇଦ୍ର ବନ୍ଧୁ ମିଳନ ହେବାକୁ ଥିବା କୁଆଁସର ଇଦ୍ଗା ପଡ଼ିଆରେ ପରିସ୍କାର ପରିଚ୍ଛନ୍ନ, ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ସ୍ଥଳେ ରାସ୍ତାରେ ଆଲୁଅ ଲଗାଇବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଉକ୍ତ ସବୁ ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପୁରୁଣାବଜାରର ଅଣ ଓସାରିଆ ରାସ୍ତା ସାଙ୍ଗକୁ ଇଦ୍ ଉପଲକ୍ଷେ ରାସ୍ତା ପାଶ୍ୱର୍ରେ ଅନେକ ଅସ୍ଥାୟୀ ଦୋକାନ ଖୋଲାଯାଉ ଥିବାରୁ ଭାରିଯାନ ସେହି ଅଞ୍ଚଳରେ ଚଳାଚଳ ନକରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଆବଶ୍ୟକମତେ ପୋଲିସ୍ ବିଭାଗ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଏସ୍.ପି. ପ୍ରକାଶ କରିଥିଲେ । ଏହି ପର୍ବ ପାଳନ ଉପଲକ୍ଷେ ଶାନ୍ତି ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ପୋଲିସ୍ ମୂତୟନ ଓ ପୋଲିସ୍ ପେଟ୍ରୋଲିଂ ବ୍ୟବସ୍ଥା ସମ୍ବନ୍ଧରେ ବୈଠକରେ ଡ଼ି.ଏସ୍.ପି., ଡ଼ି.ଆଇ.ବି, କମଳ ଲୋଚନ ଭୂୟାଁ ସୂଚନା ପ୍ରଦାନ କରିଥିଲେ । ଭଦ୍ରକ ଟାଉନ୍ ଥାନା ଅଧିକାରୀ, ପୁରୁଣା ବଜାର ଥାନା ଅଧିକାରୀ, ଉପଖଣ୍ଡ ପୋଲିସ୍ ଅଧିକାରୀ, ସଂପୃକ୍ତ ବିଭାଗୀୟ ଅଧିକାରୀ, ହିନ୍ଦୁ ସୁରକ୍ଷା ସମିତିର ଅନ୍ୟତମ କର୍ମକର୍ତ୍ତା ପର୍ଶୁନାଥ ସାହୁ , ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ଶେଷରେ ଉପଜିଲ୍ଲାପାଳ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ।
