ବିଦ୍ୟୁତ୍ ଯୋଗାଣରେ ଅବ୍ୟବସ୍ଥାର ପ୍ରତିକାର ନେଇ ବାଲେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥିତ କାଳିମନ୍ଦିର ନିକଟସ୍ଥ ଜିଲାର ପ୍ରଥମ ବିଦ୍ୟୁତ୍ ଅଫିସ୍ ପାୱାର ହାଉସ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଆହ୍ୱାନକ୍ରମେ କର୍ମୀ ଓ ବିଦ୍ୟୁତ୍ଗ୍ରାହକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଚାରଗଞ୍ଜ ଛକରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ପାୱାର ହାଉସ୍ ସମ୍ମୁଖରେ ପହଞ୍ôଚଥିଲା । ପରେ ସେଠାରେ ଆୟୋଜିତ ସଭାରେ ବର୍ଷିୟାନ୍ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ସଦର, ରେମୁଣା ଓ ସଦର ଅଞ୍ଚଳ କମିଟି ପକ୍ଷରୁ ଏହି ବିକ୍ଷୋଭ ସ୍ଥଳରେ ଦେବେନ୍ଦ୍ର ଜେନା, ଶ୍ୟାମସୁନ୍ଦର ଜେନା, ଆଲୋକ ଦାସ, ନାରୀନେତ୍ରୀ ବନ୍ଦନା ପାତ୍ର, ଭରତ ଚନ୍ଦ୍ର ସେଠୀ ଓ ସୁହାଗୀ ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଘରୋଇ ବିଦ୍ୟୁତ୍ କଂପାନୀମାନଙ୍କର ଅତୀତରେ ଗ୍ରାହକମାନଙ୍କୁ ଲୁଟ୍ କରିବା ଓ ବର୍ତ୍ତମାନ ଟାଟା ପାୱାର ଗ୍ରାହକଙ୍କୁ ଶୋଷଣର ପ୍ରତିବାଦ କରିଥିଲେ ।
ରାଜ୍ୟ ସରକାର ଘରୋଇ ବିଦ୍ୟୁତ୍ କମ୍ପାନୀମାନଙ୍କୁ ଭିତ୍ତିଭୂମିର ବିକାଶ ପାଇଁ ଦେଉଥିବା କୋଟିକୋଟି ଟଙ୍କା ତୋଷରପାତ ହେଉଥିବାର ଅଭିଯୋଗ କରିଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହବେଳେ ଦିନକୁ ୧୦/୧୫ଥର ଅଘୋଷିତ ବିଜୁଳି କାଟ୍ ଜନଜୀବନକୁ ଅତିଷ୍ଠ କରିଛି । ଇନ୍ଭର୍ଟର ବ୍ୟବହାରକାରୀ ପରିବାରମାନେ ଦୀର୍ଘସମୟ ବିଜୁଳିକାଟ ଫଳରେ ସେମାନଙ୍କ ଇନ୍ଭର୍ଟର କାମ କରୁନାହିଁ । ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବିଜୁଳି କାଟ୍ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି । ସେହିପରି ସନ୍ଧ୍ୟା ସମୟରେ ବିଜୁଳି କାଟ୍ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନମାନଙ୍କର କ୍ଷତିର କାରଣ ହୋଇଛି । ଅନ୍ୟପକ୍ଷରେ ସହରାଞ୍ଚଳରେ ବିଜୁଳିକାଟ ଯୋଗୁଁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଓଡ଼ିଶା ବିଜୁଳି ଉତ୍ପାଦନରେ ଏକ ବଳକା ରାଜ୍ୟ ବୋଲି ସରକାର କହୁଥିବାରୁ ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ମାସିକ ଦୁଇଶହ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଛାଡ଼ ପାଇଁ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ଶକ୍ତି ଯୋଗାଇଦେବାକୁ ପାର୍ଟି ତରଫରୁ ଦାବି କରାଯାଇଛି । ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ଗୁଡ଼ିକ ସଂଶୋଧନ ନକରି ଜୋରଜବରଦସ୍ତି କମ୍ପାନୀର କର୍ମଚାରୀମାନେ ବିଜୁଳି ବିଲ୍ ଆଦାୟ କରୁଥିବାରୁ ଏହାକୁ ନିନ୍ଦା କରାଯାଇଛି । ଗ୍ରାହକ ଅନୁପାତରେ କର୍ମଚାରୀ ନିଯୁକ୍ତି ଓ ଅସ୍ଥାୟୀ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରାଯାଇଛି । କାର୍ଯ୍ୟକ୍ରମରେ ଶଶିକାନ୍ତ ବେହେରା, ସନ୍ତୋଷ ରଣା, ବେଣୁଧର ବାରିକ, ଯତୀନ୍ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।
