ଜିଲାସ୍ତରୀୟ ବିଜ୍ଞାନ ମେଳାରେ ୯୨ଟି ପ୍ରକଳ୍ପ ପ୍ରଦର୍ଶିତ
ଜଳେଶ୍ୱର : ବାଲେଶ୍ୱର ଜିଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଶୁକ୍ରବାର ଜଳେଶ୍ୱର ହାଇସ୍କୁଲ ପରିସରରେ ଉଦ୍ଘାଟିତ ହୋଇଛି । ଦୁଇଦିନିଆ ଏହି ଶିବିରରେ ୧୨ଟି ବ୍ଲକର ଛାତ୍ରୀଛାତ୍ର ଭାଗ ନେଇଥିବା ବେଳେ ବିଜ୍ଞାନକୁ ଧ୍ୱଂସାଭିମୁଖୀ ପରିବର୍ତ୍ତେ ମାନବ କଲ୍ୟାଣ ଲାଗି ବିନିଯୋଗ କରିବାକୁ ବକ୍ତାମାନେ ମତ୍ରପ୍ରକାଶ କରିଛନ୍ତି ।
ଜଳେଶ୍ୱର ସରକାରୀ ନୋଡ଼ାଲ ହାଇସ୍କୁଲ ପରିସରରେ ବାଲେଶ୍ୱର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇଛି । ମୁଖ୍ୟବକ୍ତାଭାବେ ଚାନ୍ଦିପୁରସ୍ଥିତ ଡିଆର୍ଡିଓର ଅତିରିକ୍ତ ନିର୍ଦ୍ଦେଶକ ତଥା ବୈଜ୍ଞାନିକ ହିମାଂଶୁ ଶେଖର ପଣ୍ଡା ଯୋଗ ଦେଇ ଆଜି ସୁଦ୍ଧା ବିଜ୍ଞାନ ପ୍ରଦତ୍ତ ସୁବିଧା ସୁଯୋଗର ଅଧିକ ଗବେଷଣା ହେବା ଉଚିତ୍ । ଛାତ୍ରୀଛାତ୍ରଙ୍କ ଅନ୍ତନିର୍ହିତ ଗୁଣକୁ ଉଦ୍ଜିବୀତ କରିବା ଲାଗି ଶିକ୍ଷକମାନେ ପ୍ରଚେଷ୍ଟା ଜାରି ରଖିବା ଉଚିତ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଅଶ୍ୱିନୀ ପାତ୍ର ଓଡ଼ିଶା ଯୁବ ବୈଜ୍ଞାନକମାନଙ୍କ ଭୂମିକାକୁ ପ୍ରଶଂସା କରିଥିବା ବେଳେ ବିଜ୍ଞାନ ପଣ୍ଡିତମାନେ ବିଜ୍ଞାନକୁ ଧ୍ୱଂସ ନୁହେଁ ମାନବ କଲ୍ୟାଣ ଲାଗି ବିନିଯୋଗ କରାଯିବାକୁ ପରମର୍ଶ ଦେଇଥିଲେ । ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା, ଜିଲା ବିଜ୍ଞାନ ପରିଦର୍ଶକ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରଚୀତନୟା ଗିରି, ଜଳେଶ୍ୱର ଓ ଭୋଗରାଇର ଗୋଷ୍ଠି ଶିକ୍ଷାଧିକାରୀ ଭଗିରଥି ଗିରି ପ୍ରମୁଖ ଯୋଗଦେଇ ଶିକ୍ଷକ ମାନେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାମୂଳକ ଜ୍ଞାନ ପ୍ରଦାନ କରିବାକୁ କହିଥିଲେ । ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆର୍ଆଇଏଚ୍ଏସ୍ କଲେଜର ଅଧ୍ୟକ୍ଷ କୃତିବାସ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲେଶ୍ୱର ଜିଲାର ୧୨ଟି ବ୍ଲକରୁ ମୋଟ ୯୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରୁ ୫ଟି ପ୍ରକଳ୍ପ ରାଜ୍ୟସ୍ତରକୁ ଯିବବୋଲି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ ଅଧ୍ୟକ୍ଷତା କରିଥିବା ବେଳେ ସରୋଜ କୁମାର ପାଣିଗ୍ରାହୀ ଓ ନିବେଦିତା ନାୟକ ମଞ୍ଚ ଆହ୍ୱାନ, ସୁକୁମାର ମିଶ୍ର ବେଦପାଠ, ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଓଷ୍ଟା ଜଳେଶ୍ୱର ସମ୍ପାଦକ ଡ. ଅଜିତ୍ କୁମାର ମହାନ୍ତି, ଓଷ୍ଟାର ଜିଲା ସମ୍ପାଦକ ମନୋରଞ୍ଜନ ଦାସ ଓ ବଂଶୀଧର ବାରିକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।
