ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅନୁକୂଳ ହେଲା କାଠ ଚିରଟ
କଟକ : ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥକାଠ ଚିରା କାର୍ଯ୍ୟ ଅନୁକୂଳ ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଆଜ୍ଞାମାଳ ନେଇ ସ୍ଥାନୀୟ ଖପୁରିଆସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ଼ର କରତକଳ ଓ ଡିପୋରେ ପହଂଚିବା ପରେ ପୂଜାର୍ଚ୍ଚନା ସହ ରଥ କାଠ ଚିରଟ ଆରମ୍ଭ ହୋଇଥିଲା ।
ଚଳିତ ବର୍ଷ କରୋନା କଟକଣା ସମଗ୍ର ରାଜ୍ୟରେ କୋହଳ ହୋଇଥିବାରୁ ଏବର୍ଷ କାଠ ଚିରଟ କାର୍ଯ୍ୟ ପ୍ରତ୍ୟେକ ବର୍ଷ ଭଳି ଧୂମଧାମରେ କରାଯାଇଥିଲା । ରଥକାଠରେ ପ୍ରାଥମିକ ପୂଜାର୍ଚ୍ଚନା ଗତ ସରସ୍ୱତୀ ପୂଜା ଅବସରରେ ହୋଇଥିଲା । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ୩ ଦିଅଁଙ୍କ ପାଇଁ ୩ଟି ରଥ ଯଥା ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ନିର୍ମାଣ ହୋଇଥାଏ । ଏହି ୩ଟି ରଥ ପାଇଁ କାଠ ଚିରଟ ଆରମ୍ଭ ହୋଇଛି । ରଥକାଠ ଚିରଟ ପରେ ଆସନ୍ତା ଅକ୍ଷୟ ତୃତୀୟା ତିଥିରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ ନୀତି ଅଧିକାରୀ ରବୀନ୍ଦ୍ର ନାଥ ଦାସ, ତତ୍ୱାବଧାରକ ସୁଦର୍ଶନ ମେକାପ, ରଥ କାଠ ନିର୍ଦ୍ଧାରକ ଲକ୍ଷ୍ମଣ ମହାପାତ୍ର, ମହାରଣା ନୀତି ନିୟୋଗର ରାମଚନ୍ଦ୍ର ମହାରଣା, ସର୍ଦ୍ଦାର ରବୀନ୍ଦ୍ର ଚନ୍ଦ୍ର ଭୋଇ ଅପରାହ୍ନ ୪ଟା ସମୟରେ ଆଜ୍ଞାମାଳ ଧରି କରତକଳରେ ପହଂଚିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥଙ୍କର ପୂଜାର୍ଚ୍ଚନା କରାଯିବା ପରେ ୪ଟା ୩୦ରେ ରଥ କାଠ ଚିରଟ ଆରମ୍ଭ ହୋଇଥିଲା । ୨୩୩.୩୦ ଘନଫୁଟର ଧଉରା କାଠ ଚିରଟ ହୋଇଥିଲା । ଏହି ଚିରଟ କାର୍ଯ୍ୟକ୍ରମକୁ ବନାଂଚଳ ଅଧିକାରୀ ରୁଦ୍ରମଣି ସାହୁ, ଭାଗବତ ପ୍ରସାଦ ସାହୁ ଓ ମିସ୍ତ୍ରୀ ଚକ୍ରଧର ନାଥ ପ୍ରମୁଖ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଆସିଥିବା କାଠ ମଧ୍ୟରୁ ପ୍ରାୟ ୧୩୩ ଘନଫୁଟର ୩୩ ଗଡ ଗଚ୍ଛିତ କାଠ ଚିରଟ କରାଯିବ ।
