ୟୁକ୍ରେନ ଉପରେ ହାଇପରସୋନିକ ମିସାଇଲ ମାଡ଼
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଜାପୋରିଝଜିଆ ସହରରେ ଘନ ଘନ ରକେଟ ମାଡ କରିଛି ରୁଷ । ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ଏହାପରେ ସହରରେ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଛି । ହେଲିକପ୍ଟର, ଟ୍ୟାଙ୍କ ଓ ରକେଟରେ ଆକ୍ରମଣ ଜାରି ରଖିଛନ୍ତି ରୁଷ ସେନା ।
ଫଳରେ ସହରରେ ଅନେକ ଅଞ୍ଚଳ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି ମସ୍କୋ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଆଲୋଚନାରେ ସମାଧାନ ନହେଲେ ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତିର ଭରଣ କରିବା ପାଇଁ ରୁଷକୁ ପିଢି ପରେ ପିଢି ବିତିଯିବ ବୋଲି ଜେଲେନସ୍କି କହିଛନ୍ତି । ଶାନ୍ତି ଓ ସୁରକ୍ଷାକୁ ନେଇ ୟୁକ୍ରେନ ଆରମ୍ଭରୁ ହିଁ ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଛି ବୋଲି ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି କହିଛନ୍ତି ।
ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ଟାଳିବା ନେଇ ସାରା ବିଶ୍ୱ ପ୍ରୟାସ କରୁଛି । ଅନ୍ୟପଟେ ଋଷ ୟୁକ୍ରେନ ବିରୋଧରେ ଆହୁରି ଆକ୍ରାମଣାତ୍ମକ ହୋଇଛି । ଶନିବାର ୟୁକ୍ରେନ ଉପରେ ହାଇପରସୋନିକ ମିସାଇଲ ମାଡ କରିଛି ବୋଲି ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଏହି ଆକ୍ରମଣରେ ୟୁକ୍ରେନର ଅଣ୍ଡରଗ୍ରାଉଣ୍ଡ ଯୁଦ୍ଧାସ୍ତ୍ର ଧ୍ୱଂସ ହୋଇଯାଇଛି । ଏହି ଅଣ୍ଡରଗ୍ରାଉଣ୍ଡରେ ୟୁକ୍ରେନ ଯୁଦ୍ଧାସ୍ତ୍ର ସହିତ ଗୋଳା ବାରୁଦା ଆଦି ମହଜୁଦ ରଖେ ବୋଲି ଜଣାପଡିଛି । ଯାହା ଧ୍ୱଂସ ହୋଇଯାଇଛି । କିନ୍ତୁ ରୁଷ ଏପରି ଅତ୍ୟାଧୁନିକ ମିସାଇଲ ବ୍ୟବହାର ନେଇ ସ୍ପଷ୍ଟ କରିନି ।
ଋଷ ଏହି ମିସାଇଲକୁ କିନଝଲ ମିସାଇଲ ବୋଲି କୁହେ । ୨୦୧୮ରେ ରୁଷ ହାଇପରସୋନିକ ମିସାଇଲକୁ ନିଜ ସାମରିକ ଅସ୍ତ୍ରରେ ସାମିଲ କରିଥିଲା । ଶବ୍ଦର ବେଗ ତୁଳନାରେ ୧୦ ଗୁଣା ଅଧିକ ବେଗରେ ଯାଏ କିନଝଲ ମିସାଇଲ । ଏମିତିକି ଏୟାର ଡିଫେନ୍ସ ସିଷ୍ଟମକୁ ପାର କରିବାର କ୍ଷମତା ରଖିଛି । ଆମେରିକା ସମେତ ଅନେକ ଦେଶ ଏବେ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଉଛନ୍ତି । ଏପରି ସ୍ଥିତିରେ ୟୁକ୍ରେନର ମୁକାବିଲା ପାଇଁ ଋଷ ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର କରୁଥିବା ସୂଚନା ରହିଛି ।
