ତେଲ କିଣାରେ ରାଜନୀତି ନ ହେଉ : ଭାରତ
ନୂଆଦିଲ୍ଲୀ : ଋଷିଆରୁ ଅସୋଧିତ ତୈଳ କିଣିବା ଲାଗି ଏବେ ଭାରତ ଜିଦରେ ଅଡି ଯାଇଛି। ଏଥିଲାଗି ଭାରତର ପ୍ରସ୍ତୁତିକୁ ଆମେରିକା ପରୋକ୍ଷରେ ଇସାରା କରୁଛି। ଏଣୁ ତେଲ କିଣାରେ ରାଜନୀତି ନ ହେଉ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ଭାରତ ସରକାର। ଭାରତର ୪ କମ୍ପାନୀ ଗତ ୩ ଦିନରେ କ୍ରୁଡ କ୍ରୟ ଲାଗି ଋଷିଆ ସହ ବୁଝାମଣା କରିଛନ୍ତି। ଏଣୁ ପ୍ରସଙ୍ଗରେ ଭାରତ ନିଜର ମନଭାବ ସ୍ପଷ୍ଟ କରିଦେଇଛି।
ଋଷିଆରୁ ଭାରତର ତେଲ କିଣାକୁ ଆମେରିକା ସରକାର ସିଧାଶଳଖ ବିରୋଧ କରୁ ନାହିଁ। ତେବେ ହ୍ୱାଇଟ୍ ହାଉସ୍ ଓ ବୈଦେଶିକମନ୍ତ୍ରାଳୟ ବାରମ୍ବାର ଭାରତକୁ ପ୍ରସଙ୍ଗରେ ସଞ୍ଜମତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ୟୁକ୍ରେନ ଉପରେ ଆକ୍ରମଣକାରୀ ଦେଶଙ୍କ ସପକ୍ଷରେ ଛିଡା ନ ହେବା ଲାଗି ପ୍ରବର୍ତ୍ତାଉଛନ୍ତି। ତେବେ ଅଶୋଧିତ ତୈଳ କ୍ରୟକୁ ନେଇ ଭାରତର ଦର୍ଶନ କିନ୍ତୁ ଭିନ୍ନ। କ୍ରୁଡ ଆମଦାନୀକୁ ଏବେ ଦେଶର ଆର୍ଥିକ ଓ ରଣନୈତିକ ସାର୍ବଭୌମତା ବୁଝୁଛି ଭାରତ। ଯାହା ଏବେ ଦେଶ ଲାଗି ନିତ୍ୟାନ୍ତ ଜରୁରି। ଏଣୁ ଅନ୍ୟ ଦେଶଙ୍କୁ ଦେଖି ଭାରତ ନିଜର ରଣନୀତି ପ୍ରସ୍ତୁତ କରିପାରିବନି ବୋଲି କହିଛି।
ଭାରତ ବୈଦେଶିକମନ୍ତ୍ରାଳୟ ଏ ବାବଦେ ଆମେରିକାକୁ ସୂଚିତ ମଧ୍ୟ କରିଦେଇଛନ୍ତି। ଋଷିଆରୁ ଯେତିକି ପରିମାଣରେ ଭାରତ କ୍ରୁଡ ଆଣୁଛି ତାଠାରୁ ଅନେକ ଗୁଣା ଅଧିକ ତୈଳ ବିଭିନ୍ନ ଦେଶରୁ ଆମଦାନୀ କରୁଛି। କିଛି ବର୍ଷ ପୂର୍ବରୁ ଆମେରିକାରୁ ଭାରତ ଗୋଟେ ବାରଲ କ୍ରୁଡ କ୍ରୟ କରୁନଥିଲା। ହେଲେ ୨୦୨୧ ବେଳକୁ ଆମେରିକାରୁ ତାର ଆବଶ୍ୟକତାର ୭.୩ ପ୍ରତିଶତ ପୂରଣ କରୁଥିବା ଦେଖା ଯାଇଛି। ଯାହା ୨୦୨୨ ମସିହାରେ ୧୧ ପ୍ରତିଶତକୁ ବଢିପାରେ ବୋଲି ଏବେ ଅନୁମାନ କରାଗଲାଣି। ଅନ୍ୟପକ୍ଷରେ ଭାରତ ଦେଶର ମୋଟ ଆବଶ୍ୟକତାର ମାତ୍ର ୧ ପ୍ରତିଶତ ହିଁ ଋଷିଆରୁ ଆମଦାନୀ କରିଥାଏ।
ଏବେ ୟୁକ୍ରେନକୁ ନେଇ ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ମନଭାବକୁ ଦେଖି ଋଷିଆ ୨୫ ପ୍ରତିଶତ ଶସ୍ତାରେ ଭାରତକୁ କ୍ରୁଡ ଯୋଗାଇ ଦେଉଛି। ଏଣୁ ଚଳିତବର୍ଷ ଭାରତ ଅଧିକ ପରିମାଣରେ ଅଶୋଧିତ ତୈଳ ଋଷିଆରୁ ଅଣାଇବ ବୋଲି ଅନୁମାନ କରାଯାଉଛି। ଏହା ସତ୍ତ୍ୱେ ମଧ୍ୟ ଆମେରିକା ତୁଳନାରେ ଋଷିଆରୁ ଆମଦାନୀ କମ ରହିବ। ଋଷିଆରୁ ଭାରତ ସ୍ୱଳ୍ପ ତେଲ ଆଣିବାରେ ମଧ୍ୟ ଅନେକ କାରଣ ରହିଛି। ଏପର୍ଯ୍ୟନ୍ତ ଯାହାବି ଆମଦାନୀ ହୋଇଛି ତାହା କେବଳ କମ୍ପାନୀ ସ୍ତରରେ, ହେଲେ ସରକାର ଏପର୍ଯ୍ୟନ୍ତ ଋଷିଆରୁ ତେଲ କିଣାରେ ଏତେଟା ଆଗ୍ରହ ଦେଖାଇ ନାହାଁନ୍ତି।
ଅନ୍ୟପକ୍ଷରେ ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିବା ଦେଶ ମଧ୍ୟ ଋଷିଆରୁ ତେଲ କିଣୁଛନ୍ତି। ଋଷିଆ ଗ୍ୟାସ୍ର ୭୫ ପ୍ରତିଶତ ଗ୍ରାହକ ହେଉଛନ୍ତି ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ପୋଲାଣ୍ଡ, ଫିନଲ୍ୟାଣ୍ଡ ଓ ରୋମାନିଆ। ଏହି ଦେଶମାନେ ଋଷିଆ ବିରୋଧରେ କଟକଣା ଜାରି କରିଛନ୍ତି ହେଲେ ତେଲ ଓ ଗ୍ୟାସ୍ ଲାଗି କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି। ବାସ୍ତବରେ ଋଷର ଯେଉଁ ବ୍ୟାଙ୍କ ଗ୍ୟାସ୍ ଓ ତୈଳ କାରବାରରେ ଜଡିତ ଅଛନ୍ତି ସେହି ବ୍ୟାଙ୍କମାନଙ୍କର ସ୍ୱିପ୍ଟ ବ୍ୟାଙ୍କିଙ୍ଗ ଏପର୍ଯ୍ୟନ୍ତ ସକ୍ରିୟ ରହିଛି। ଏଣୁ ଯେଉଁ ଦେଶମାନେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଓ ଏପର୍ଯ୍ୟନ୍ତ ଋଷିଆରୁ ତୈଳ ଓ ଗ୍ୟାସ କିଣୁଛନ୍ତି ସେମାନେ ଭାରତକୁ ଉପଦେଶ ଦେବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରାଳୟ ସଫାସଫା ଶୁଣାଇ ଦେଇଛନ୍ତି।
